fbpx

ଗୁଲାମ ନବି ଆଜାଦଙ୍କୁ ମିଳିଲା ବିଜେପିଠୁ ନିମନ୍ତ୍ରଣ, କୁଲଦୀପ ବିଷ୍ନୋଇ କହିଲେ- ସ୍ଵାଗତ କରିବୁ

ନୂଆଦିଲ୍ଲୀ: କଂଗ୍ରେସ ଛାଡିବାର କିଛି ସମୟମ ପରେ ହିଁ ବରିଷ୍ଠ ରାଜନେତା ଗୁଲାମ ନବି ଆଜାଦଙ୍କୁ ଭାରତୀୟ ଜନତା ପାର୍ଟିରୁ ଆମନ୍ତ୍ରଣ ମିଳିଛି। ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜଣେ ନେତା ବିଜେପିରେ ଆଜାଦଙ୍କୁ ସ୍ଵାଗତ କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ଆଜାଦଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ଏବଂ ତାଙ୍କର ରାଜନୈତିକ ଭବିଷ୍ୟତ କଣ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖୋଦ୍ ଆଜାଦ ମଧ୍ୟ ନିଜର ଭବିଷ୍ୟତକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ହରିୟାଣାର ଆଦମପୁର ଆସନରୁ କଂଗ୍ରେସ ବିଧାୟକ ରହି ସାରିଥିବା କୁଲଦୀପ ବିଷ୍ନୋଇ ଆଜାଦଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ, କଂଗ୍ରେସ ନିଜେ ଶେଷ ହେବା ଏବଂ ଆତ୍ମଘାତୀ ମୋଡରେ ରହିଛି। ମୋର ପରାମର୍ଶ ରାହୁଲ ଗାନ୍ଧୀ ନିଜର ଅହଂକାର ଛାଡନ୍ତୁ। ଗୁଲାମ ନବି ଆଜାଦଙ୍କ ବିଜେପିରେ ସ୍ଵାଗତ। ଯଦି ମୋତେ ପାର୍ଟି ଏହି ବିଷୟରେ ପଚାରେ ତେବେ ମୁଁ କହିବି ଆଜାଦଙ୍କୁ ବିଜେପିରେ ସାମିଲ୍ କରାଯାଉ।

ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ସମୟ ଧରି ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିଲେ। ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚିଠିରେ ସେ ବିଶେଷ କରି ରାହୁଲ ଗାନ୍ଧୀଙ୍କ ନେତୃତ୍ଵ କ୍ଷମତାକୁ ନେଇ ଉଲ୍ଲେଖ କରିଛନ୍ତି। ନିକଟରେ ସେ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିରୁ ଇସ୍ତଫା ଦେଇ ଦେଇଥିଲେ।

ଏହିପରି ଅଗଷ୍ଟ ୩ରେ ଚଣ୍ଡିଗଡରେ ବିଧାୟକ ପଦରୁ ଇସ୍ତଫା ଦେବା ସମୟରେ ବିଷ୍ନୋଇ କହିଥିଲେ, ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ପାର୍ଟି ଆଉ ବଞ୍ଚିବ ନାହିଁ। ମୁଁ ବିଜେପିର ସାଧାରଣ କର୍ମୀ ଭାବେ କମ କରିବି। ହରିୟାଣା କଂଗ୍ରେସରେ ଅଦଳବଦଳ ସମୟରେ ତାଙ୍କୁ ଅଣଦେଖା କରିବା ନେଇ କୁଲଦୀପ ବିଷ୍ନୋଇ ଅସନ୍ତୁଷ୍ଟ ଥିଲେ। ଏଥିସହ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମଧ୍ୟ କରିଥିଲେ।

 

Get real time updates directly on you device, subscribe now.