fbpx

ବିବାହ ସିଜନରେ ସୁନା ଦାମରେ ନିଆଁ! ୯ ମାସ ଭିତରେ ସବୁଠାରୁ ମହଙ୍ଗା ହେଲା ଗୋଲ୍ଡ, ରୁପା ମଧ୍ୟ ୬୭ ହଜାର ପାର୍

ନୂଆଦିଲ୍ଲୀ: ସୁନା-ରୁପା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୧୦ ଗ୍ରାମ ସୁନାର ଦାମ୍ ୪୯ ହଜାର ଟଙ୍କାରେ ପହଞ୍ଚିବା ପରେ ଗୁରୁବାର ଦିନ ୯ ମାସ ମଧ୍ୟରେ ସବୁଠାରୁ ଉଚ୍ଚ ସ୍ତରରେ ଯାଇ ପହଞ୍ଚିଛି । ଏନେଇ ମଲ୍ଟି କମୋଡିଟି ଏକ୍ସଚେଞ୍ଜରୁ ସୂଚନା ମିଳିଛି । ବର୍ତ୍ତମାନ ୧୦ ଗ୍ରାମ ସୁନାର ଦାମ୍ ୪୯ହଜାର ୨୯୨ ଟଙ୍କାରେ ପହଞ୍ଚିଛି । ଏହି ବିବାହ ଋତୁରେ ହଳଦିଆ ଧାତୁର ଦାମ୍ ଲଗାତର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତା ପକାଇଛି । ସେହିପରି ରୁପାର ଦାମ୍ ଏମସିଏକ୍ସ ରେ ୦.୨୭ ପ୍ରତିଶତ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୬୭ ହଜାର ୧୪୮ ଟଙ୍କାରେ ଆସି ବନ୍ଦ ହୋଇଛି ।

ଖଣିଜ ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ସୁନା ଓ ରୂପା ମୂଲ୍ୟ ବର୍ଷ ଶେଷ ପର୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆଗାମୀ କିଛି ମାସ ଧରି ବିଶ୍ୱ ମୁଦ୍ରାସ୍ଫୀତି ଏବଂ ସୁନା ଓ ରୂପା ର ଉଦ୍ୟୋଗିକ ବ୍ୟବହାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଏମସିଏକ୍ସରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୧,୦୦୦ ପର୍ୟ୍ୟନ୍ତ ଯାଇପାରେ, ଏବଂ ରୂପା ମୂଲ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା କିଲୋଗ୍ରାମ ପିଛା ୭୨,୦୦୦ ରୁ ୭୪,୦୦୦ ପର୍ୟ୍ୟନ୍ତ ପହଞ୍ଚିପାରେ।

ଆଇଆଇଏଫଏଲ୍ ସିକ୍ୟୁରିଟିରେ କମୋଡିଟି ଆଣ୍ଡ କରେନ୍ସି ବାଣିଜ୍ୟ ଉପାଧ୍ୟକ୍ଷ ଅନୁଜ ଗୁପ୍ତା କହିଛନ୍ତି ଯେ, ବିଶ୍ୱର ମୁଦ୍ରାସ୍ଫୀତି ବୃଦ୍ଧି, ଆମେରିକାର ଦୁର୍ବଳ ତଥ୍ୟ, ସୁନା ଏବଂ ରୂପା ପାଇଁ ଶିଳ୍ପ ଚାହିଦା ଦାବି ଏବଂ ବୁଲିୟନ୍ ପାଇଁ ପୁଞ୍ଜି ବିନିଯୋଗ ଚାହିଦା ସୁନା ମୂଲ୍ୟକୁ ଅଧିକ ବୃଦ୍ଧି କରିଛି । ଏହିସବୁ କାରଣ ପାଇଁ ଆଶଙ୍କା କରାଯାଉଛି ଯେ, ଆସନ୍ତା କିଛି ମାସ ଭିତରେ ସୁନା ଓ ରୁପାର ମୁଲ୍ୟ ବୃଦ୍ଧି ଜାରି ରହିବ ।

Get real time updates directly on you device, subscribe now.