fbpx

ତିରୁପତି ପ୍ରସାଦ ବିବାଦ: ଲ୍ୟାବ ରିପୋର୍ଟ ଦେଲା ଚମକପ୍ରଦ ତଥ୍ୟ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ପ୍ରସାଦ ବିବାଦ ଆହୁରି ଘନେଇଲା । ମନ୍ଦିରର ପ୍ରସାଦ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରୁଥିବା ଅଭିଯୋଗକୁ ଏକ ଲ୍ୟାବ ରିପୋର୍ଟ ବଳବତ୍ତର କରିଛି । ଏଥିରେ ଫସିବାକୁ ଯାଉଛି ପୂର୍ବ ୱାଇଏସଆର ସରକାର । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପକ୍ଷରୁ ସେଣ୍ଟର ଫର ଆନାଲିସିସ ଆଣ୍ଡ ଲର୍ଣ୍ଣି ଇନ ଲାଇଫଷ୍ଟକ ଆଣ୍ଡ ଫୁଡ (କାଲ୍ଫ) ଲ୍ୟାବର ରିପୋର୍ଟ ଜାରି କରି କହିଛନ୍ତି କି, ୱାଇଏସଆର ପାର୍ଟି ସରକାରରେ ଥିବା ସମୟରେ ତିରୁପତି ମନ୍ଦିରର ପ୍ରସାଦ ପାଇଁ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ବ୍ୟବହାର କରିଥିବା ମିଳିଛି ।

କାଲ୍ଫ ରିପୋର୍ଟ ମୁତାବକ, ଘିଅରେ ମାଛ ତେଲ ଓ ଗୋ ଚର୍ବି ଓ ଘୁଷୁରି ଚର୍ବିର ଭାଗ ମିଳିଛି । ତିରୁପତି ମନ୍ଦିର ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀ ଭେଙ୍କେଟେଶ୍ୱରଙ୍କୁ ସମର୍ପିତ । କିନ୍ତୁ ବୈଷ୍ଣବ ମନ୍ଦିରରେ ଗତ ସରକାର ପଶୁ ଚର୍ବିରୁ ପ୍ରସ୍ତୁତ ଘିଅ ବ୍ୟବହାର କରି ମନ୍ଦିରର ପବିତ୍ରତା ନଷ୍ଟ କରିଛି ବୋଲି ଟିଡିପି ଅଭିଯୋଗ କରିଛି । ଟିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ପ୍ରସଙ୍ଗକୁ ନେଇ ୱାଇଏସଆର ମୁଖ୍ୟଙ୍କୁ ଘେରିଛନ୍ତି ।

ନାଇଡୁ କହିଥିଲେ କି, ଗତ ୫ ବର୍ଷରେ ୱାଇଏସଆର କଂଗ୍ରେସ ନେତା ମନ୍ଦିରର ପବିତ୍ରତା ନଷ୍ଟ କରିଛନ୍ତି । ମନ୍ଦିରରେ ହେଉଥିବା ମାଗଣା ଭୋଜନ ଅନ୍ନଦାନନର ଗୁଣବତା ରକ୍ଷା କରିନାହାନ୍ତି ।

ଏହାକୁ ନେଇ ୱାଇଏସଆରର ବରିଷ୍ଠ ନେତା ରାଜ୍ୟସଭା ସାଂସଦ ଓ୍ବାଇଭି ସୁବ୍ବା ରେଡ୍ଡି ଅଭିଯୋଗକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀ ନାଇଡୁ ବରଂ ମନ୍ଦିରର ପବିତ୍ରତା ନଷ୍ଟ କରୁଛନ୍ତି ବୋଲି କହିଛନ୍ତି । ଚନ୍ଦ୍ରବାବୁଙ୍କ ବୟାନକୁ ସୁବ୍ବା ରେଡ୍ଡୀ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.