fbpx

ଇସ୍ତଫା ଦେଲେ ବିଧାୟକ ସି.ଜେ ଚାବଡ଼ା: ଗୁଜରାଟ ବିଧାନସଭାରେ କଂଗ୍ରେସ ସଦସ୍ୟ ସଂଖ୍ୟା ୧୫କୁ ଖସିଲା

ନୂଆଦିଲ୍ଲୀ: ଆଗକୁ ଦେଶରେ ଲୋକସଭା ନିର୍ବାଚନ ସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଲୋକସଭା ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପରେ ସାରା ଦେଶର ନଜର ରହିଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, କଂଗ୍ରେସର ଜଣେ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗୁଜରାଟରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ବିଜାପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଚତୁରସିଂହ ଜାଭନଜୀ ଚାବଡ଼ା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭା ବାଚସ୍ପତି ଶଙ୍କର ଚୌଧରୀଙ୍କ ବାସଭବନକୁ ଯାଇ ଶ୍ରୀ ଚାବଡ଼ା ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଥିବାରୁ ସେ ପଦ୍ମ ଧରିବା ନେଇ ଚର୍ଚ୍ଚା ହେଉଛି ।

ଶ୍ରୀ ଚାବଡ଼ା ହାତ ଛାଡ଼ିବା ପରେ ଏବେ ଦଳକୁ ବଡ଼ ଝଟକା ଲାଗିଛି । ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟାରେ ହ୍ରାସ ଘଟିଛି । ୨୦୨୨ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ପାଇଥିଲା । ମେହସନା ଜିଲ୍ଲାର ବିଜାପୁର ଆସନରୁ ଚାବଡ଼ା କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଚାବଡ଼ା ୩ ଥର ବିଧାୟକ ଭାବେ ଜିତିଥିଲେ । ଏହା ପୂର୍ବରୁ ଆନନ୍ଦ ଜିଲ୍ଲାର ଖମ୍ଭାନ୍ତ ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ଜିତିଥିବା ଚିରାଗ ପଟେଲ ମଧ୍ୟ ଇସ୍ତଫା ଦେଇଥିଲେ । ଦୁଇଜଣ ବିଧାୟକ ଦଳ ଛାଡ଼ିବା ପରେ ଏବେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ କଂଗ୍ରେସର ସଦସ୍ୟ ସଂଖ୍ୟା ୧୫କୁ ଖସି ଆସିଛି ।

Get real time updates directly on you device, subscribe now.