fbpx

ଗୁଜରାଟ ନିର୍ବାଚନକୁ ନେଇ ବଡ ଅପଡେଟ୍, ଆସନ୍ତା ସପ୍ତାହରେ ଇସି କରି ପାରନ୍ତି ତାରିଖ ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ମାସର ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି। ଆୟୋଗ ଅକ୍ଟୋବର ମାସ ଆରମ୍ଭରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ। ହେଲେ ଆୟୋଗ ଏକ ସଙ୍ଗେ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ନକରିବାରୁ ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିଲା।

ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଭୋଟ୍ ଗଣତି ଡିସେମ୍ବର ୮ରେ ହେବ। ଆୟୋଗ ହିମାଚଳ ପ୍ରଦେଶ ପାଇଁ ମତଗଣନା ତାରିଖ ଘୋଷଣା ପରେ ଏହି ସଙ୍କେତ ଦେଇଥିଲେ ଯେ, ଗୁଜରାଟ ନିର୍ବାଚନ ଅଲଗା ତାରିଖରେ ହେଲେ ମଧ୍ୟ ଭୋଟ୍ ଗଣତି ସେହି ଡିସେମ୍ବର ୮ରେ ହେବ।

୨୦୧୭ରେ ଦୁଇ ରାଜ୍ୟରେ ଅଲଗା ଅଲଗା ତାରିଖରେ ନିର୍ବାଚନ ହୋଇଥିଲା। କିନ୍ତୁ ଭୋଟ୍ ଗଣତି ଡିସେମ୍ବର ୧୮ରେ ହୋଇଥିଲା। ଗୁଜରାଟ ଏଉଂ ହିମାଚଳ ପ୍ରଦେଶରେ ୧୯୯୮, ୨୦୦୭ ଏବଂ ୨୦୧୨ରେ ଏକ ସଙ୍ଗେ ମତଦାନ ହୋଇଥିଲା। ତେବେ ସମୟ କ୍ରମେ ଏଥିରେ ବ୍ୟତିକ୍ରମ ଘଟିଛି। ଉଲ୍ଲେଖନୀୟ ୧୮୨ ବିଧାୟକ ବିଶିଷ୍ଟ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୦୨୩ ଫେବୃଆରୀ ୧୮ରେ ସମାପ୍ତ ହେଉଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ରେ ତିନି ଦିନିଆ ଗସ୍ତରେ ଗୁଜରାଟ ଏବଂ ରାଜସ୍ଥାନ ଯିବେ। ଏହି ସମୟରେ ସେ ସି-୨୯୫ ବିମାନ ନିର୍ମାଣ କେନ୍ଦ୍ରର ଶିଳାନ୍ୟାସ୍ କରିବେ ଏବଂ ଭାରତର ପ୍ରଥମ ଗୃହ ମନ୍ତ୍ରୀ ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ।

Get real time updates directly on you device, subscribe now.