(Video) ପଡିଥିଲା ହାତଗଣ୍ଠି, ପାଉଣା ମାଗୁଥିଲେ ଶାଳୀ…କୋଲକାତାରୁ ଆସିଲେ ପ୍ରଥମ ସ୍ତ୍ରୀ, ଆରମ୍ଭ ହେଲା ତାଣ୍ଡବ

ଭୁବନେଶ୍ଵର : ବାହାଘର ଚାଲିଥିଲା, ପୁରୋହିତେ ମନ୍ତ୍ରପାଠ କରୁଥିଲେ, ଆଉ ହାତଗଣ୍ଠି ବି ପଡିଥିଲା । ହେଲେ ଏତିକି ବେଳେ ହଠାତ୍ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ । ଆଉ ତା ପରେ ଆରମ୍ଭ ହୋଇଗଲା ପୂରା ତାଣ୍ଡବ । ସ୍ୱାମୀ ତାଙ୍କର ଆଉଗୋଟେ ବାହା ହେଉଥିବାର ଖବର ପାଇ ସିଆଡୁ ପୂରା ରାଗ ତମ ତମ ହୋଇ ଆସିଥିଲେ ପ୍ରଥମ ପତ୍ନୀ । ଆଉ ସିଧା ଯାଇ ସ୍ୱାମୀଙ୍କ ହାତରେ ଠୋ କରି ଚାପୁଡା ମାରି ହାତଗଣ୍ଠିକୁ ଛିଡାଇ ପକାଇଲେ । ଦେଖିନିଅନ୍ତୁ ଏହି ପୂରା ଦୃଶ୍ୟକୁ ।

ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରର । ରାଜଭବନ ନିକଟ ରାଧାକୃଷ୍ଣ ମନ୍ଦିରରେ ଏକ ବାହାଘର ଚାଲିଥିବା ବେଳେ ଘଟିଛି ଏମିତି ଅଭାବନୀୟ ଘଟଣା । ବରକନ୍ୟାଙ୍କର ହାତ ଗଣ୍ଠି ପଡିଥିବା ବେଳେ କନ୍ୟାଙ୍କର ଭଉଣୀ ହାତଗଣ୍ଠି ଖୋଲିବା ପାଇଁ ପାଉଣା ଦାବି କରୁଥିଲେ । ଠିକ୍ ଏହି ସମୟରେ ମନ୍ଦିର ପରିସରରେ ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ ନିଜକୁ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା । ଆଉ କେତେଟା ବାହାହେବୁ ବୋଲି କହି ବର ବେଶରେ ବସିଥିବା ଯୁବକଙ୍କ ହାତକୁ ଠୋ କରି ଚାପୁଡା ପକାଇଲେ । ହାତ ଗଣ୍ଠିକୁ ଛିଡାଇ ଅଲଗା କରିଦେଲେ । ହେଲେ ବର କିନ୍ତୁ ପୁଣି ସେହି କନ୍ୟାଙ୍କ ହାତକୁ ଭିଡି ଧରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ । ଖବର ଅନୁସାରେ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ ସୁଦୂର କୋଲକାତାରୁ ଆସିଥିଲେ । ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବାର ଖବର ପାଇ ସେ ସମସ୍ତ କାଗଜପତ୍ର ସହ ଭୁବନେଶ୍ୱରରେ ପହଞ୍ଚି ଯାଇଥିଲେ । ପୋଲିସ ଏବଂ ସମାଜସେବୀଙ୍କୁ ଧରି ବାହାଘର ହେଉଥିବା ରାଧାକୃଷ୍ଣ ମନ୍ଦିରରେ ପହଞ୍ଚିଯାଇଥିଲେ ।

ହେଲେ ସେତେବେଳକୁ ହାତଗଣ୍ଠି ପଡିସାରିଥିଲା । ତେବେ ସେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ହଙ୍ଗାମା । ସେ ଥାଉ ଥାଉ ତାଙ୍କ ସ୍ୱାମୀଙ୍କର ଆଉ ଜଣେ ଯୁବତୀଙ୍କ ସହ ହାତଗଣ୍ଠି ପଡୁଥିବା ଦେଖି ସହିପାରିନଥିଲେ ପ୍ରଥମ ସ୍ତ୍ରୀ । ତେଣୁ ସେହି ବାହା ବେଦୀରେ ହିଁ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ହେଲେ ଏହାରି ଭିତରେ କିନ୍ତୁ କନ୍ୟା ବେଶରେ ଥିବା ଯୁବତୀ ଜଣକ ତାଙ୍କ ନଗଦରେ ବାହା ହୋଇଥିବା ତାଙ୍କ ସ୍ୱାମୀଙ୍କୁ ପଛଆଡୁ କୁଣ୍ଢାଇ ଧରିଥିଲେ । ବର ଜଣକ ଉତ୍ତେଜିତ ହୋଇ କହୁଥିଲେ କି ମୋ ପାଖରେ ବି ଡକ୍ୟୁମେଣ୍ଟ ଅଛି । ଗାଡି ପଛ ସିଟ୍‌ରେ ଡକ୍ୟୁମେଣ୍ଟ ଅଛି, ଧରିକି ଆସ । ତେବେ ଅନେକ ସମୟ ଧରି ଉଭୟ ପକ୍ଷଙ୍କ ଭିତରେ ଏଭଳି ବାକ୍ ବିତଣ୍ଡା ଚାଲିବା ପରେ କଥା ଯାଇ ପହଞ୍ଚିଥିଲା ଥାନାରେ । କୋଲକାତାରୁ ଆସିଥିବା ମହିଳା ଜଣକ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରୁଛନ୍ତି ବୋଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଆଉ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ପଚରା ଉଚରା ଚଳାଇଥିବା ଜଣାପଡିଛି ।