fbpx

ସାବଧାନ! ଓଡ଼ିଶା ସହିତ ଦେଶର ଏହି ସମସ୍ତ ରାଜ୍ୟରେ ୫ ଦିନ ଧରି ଗମ୍ଭୀର ଲୁ ପ୍ରବାହ ଜାରି

ନୂଆଦିଲ୍ଲୀ: ଏବେ ଦେଶର ଅଧିକାଂଶ ଭାଗରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି । ତାପମାତ୍ରା ବିଭିନ୍ନ ସ୍ଥାନରେ ୪୩ ଡିଗ୍ରୀ ଉପରେ ରହୁଛି । ଏପରିକି ବହୁ ସ୍ଥାନରେ ମରୁଡି ପରି ପରିସ୍ଥିତି ସୃଷ୍ଟି ହେଲାଣି । ଏହି କ୍ରମରେ ଭାରତୀୟ ପାଣିପାଗ ବିଭାଗ ୧୪ ମାର୍ଚ୍ଚରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଚିତ୍ର ଜାରି କରିଛି । ସାରା ଦେଶରେ ୧୨୫ରୁ ଅଧିକ ଜିଲ୍ଲାରେ ମରୁଡି ପରି ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷ ୨୦୨୩ ତୁଳନାରେ ଚଳିତ ବର୍ଷ ୩୩ ଜିଲ୍ଲାରେ ଏପରି ସ୍ଥିତିର ସାମ୍ନା କରିଛି ଯାହା ଚିନ୍ତାଜନକ ଅଟେ । ଚଳିତ ବର୍ଷ ପ୍ରାରମ୍ଭରୁ ଦେଶର ବିଭିନ୍ନ ଅଞ୍ଚଳ ପ୍ରଚଣ୍ଡ ତାତି ଓ ମରୁଡି ପରି ସ୍ଥିତିର ସାମ୍ନା କରିଆସୁଛି ।

ପାଣିପାଗ ସୂତ୍ରରୁ ପ୍ରକାଶ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତାମିଲନାଡୁ ସବୁଠାରୁ ଅଧିକ ଶୁଷ୍କ ଅଞ୍ଚଳ ଭାବରେ ପରିଣତ ହୋଇଛି । ଏହି ସମସ୍ତ ଜିଲ୍ଲାରେ କମ୍ ବର୍ଷା କାରଣରୁ ଜଳସମସ୍ୟା ଉତ୍କଟ ହୋଇଛି ।

ସେହିପରି ଭାରତର ପୂର୍ବ ଓ ଦକ୍ଷିଣ ପଶ୍ଚିମ କ୍ଷେତ୍ରରେ ଭୀଷଣ ଲୁ ପ୍ରବାହ ଜାରି ରହିଛି । ଏହି ରାଜ୍ୟ ମଧ୍ୟରେ ରହଇଛି ଓଡ଼ିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଗୁଜରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁ । ଏହି ସମସ୍ତ ରାଜ୍ୟରେ ଆଗାମୀ ୫ ଦିନ ଭିତରେ ଗମ୍ଭୀର ଲୁ ପ୍ରବାହ ଜାରି ରହିବ ବୋଲି ଆଇଏମଡି କହିଛି ।

ଅନ୍ୟପଟେ ଦେଶର ଉତ୍ତର ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ, ରୟାଲସୀମା ପରି ଅଞ୍ଚଳ ଲାଗି ଭଲ ଖବର ରହିଛି । ଏଠାରେ ଶନିବାର, ରବିବାର ଓ ସୋମବାର ଅଲଗା ଅଲଗା ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଜାମ୍ମୁ କାଶ୍ମୀରର କିଛି ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ସହ ବରଫପାତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.