fbpx

ଆଜିଠୁ ଲଘୁଚାପ ବର୍ଷା: ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉପକୂଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଗୁରୁବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ୯ରୁ ୧୧ତାରିଖ ଯାଏ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗର ଆକଳନ କହୁଛି, ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

୬ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୭ ଓ ୮ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ଲଘୁଚାପ ସୃଷ୍ଟି ପରେ ଏହା ଉତ୍ତର ଦିଗରେ ଗତି କରିବ। କ୍ରମଶଃ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇବ। ୧୦ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ପହଞ୍ଚିବ । ୯, ୧୦ ଓ ୧୧ ତାରିଖରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାରେ ଭାରୀ ବର୍ଷା ହେବ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ସବୁଠୁ କମ୍ ବର୍ଷା ହେବ । ଲଘୁଚାପ ପରେ ୭ଦିନ ଯାଏ ବିଶେଷ ବର୍ଷା ହେବନି । ଏଥିପାଇଁ ଧାନ କ୍ଷେତରେ ପାଣି ବାନ୍ଧି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.