fbpx

କାଳବୈଶାଖୀ ଯୋଗୁଁ କମିଛି ତାପମାତ୍ରା: ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ମଧ୍ୟ ସକ୍ରିୟ ରହିଛି। ଏଥିପାଇଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ତେଣୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତର ସମ୍ଭାବନା ଅଛି । କାଳବୈଶାଖୀ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ଗତକାଲି ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୪୧ ଦଶମିକ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଜି ସକାଳୁ ପାଗ ମେଘୁଆ ରହିଛି ଏବଂ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଯାଇଛି ।

Get real time updates directly on you device, subscribe now.