fbpx

ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସନ ହେବ ବର୍ଷ ପ୍ରଥମ ବନ୍ୟାଜଳ

ଜଳଭଣ୍ଡାରର ଜଳସ୍ତର ୬୧୨ ଫୁଟ ଟପିଲା

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) : ଆଜି ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ଣ ୧୧ଟାରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ସପ୍ତମ ଗେଟ୍ ଖୋଲାଯିବ ପରବର୍ତ୍ତୀ ସମୟରେ  ୫ଟି ଗେଟ୍‌ ଖୋଲାଯିବ ବୋଲି ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେଣୁ ତଳମୁଣ୍ଡରେ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦ ବନ୍ୟାଜଳ ଛାଡ଼ିବା ପରେ ମହାନଦୀ ଓ ତା’ର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ରାଇଜିଂ ଟ୍ରେଣ୍ଡରେ  ରହିଥିଲେ ମଧ୍ୟ କୌଣସି ବିପଦ ନାହିଁ ।

ରବିବାର ସନ୍ଧ୍ୟା ୬ଟର ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୨.୧୦ ଫୁଟ୍‌ ରହିଥିବା ସୂଚନା ଦିଆଯାଇଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ୩୯ ହଜାର ୪୩୦ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି ।ସେମାବାର ଗେଟ୍ ଖୋଲିବା ବେଳକୁ ୬୧୨ ଫୁଟ ଉପରକୁ  ଜଳସ୍ତର ପହଞ୍ଚିଥିବ। ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗିରହିଛି । ଏପରିକି ମହାନଦୀର ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉଥିବା ସୂଚନା ମିଳିଛି । ଛତିଶଗଡ଼ ସରକାର କଲମା ବ୍ୟାରେଜ୍‌ରୁ ଜଳ ଛାଡ଼ିବା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଏପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ଉପକୂଳ ଓଡ଼ିଶାରେ ସକ୍ରିୟ ଥିବା ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.