fbpx

ଜି-୨୦ର ଅଧ୍ୟକ୍ଷ ହେବା ନେଇ ଭାରତରେ ଉତ୍ସବର ପ୍ରସ୍ତୁତି, ଗୁରୁବାର ଝଲସି ଉଠିବ ୧୦୦ ସ୍ମାରକ, ୫୦ ସହରରେ ହେବ ୨୦୦ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବେ ଜି-୨୦ର ଅଧ୍ୟକ୍ଷ ହୋଇଯିବ। ଏ ନେଇ ଦେଶରେ ଉତ୍ସବର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି ଉପଲକ୍ଷେ ସମଗ୍ର ଦେଶରେ ୧୦୦ଟି ସ୍ମାରକ ଜି-୨୦ର ଲୋଗୋ ସହିତ ଆଲୋକମାଳାରେ ଝଲସି ଉଠିବ। ଏହା ପରେ ଜି-୨୦ର ବୈଠକର ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଆସନ୍ତା ବର୍ଷ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଜି-୨୦ ଦେଶର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦେଶର ୫୦ ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ। ପ୍ରଥମ ଜି-୨୦ ସେରପା ବୈଠକ ଚଳିତ ବର୍ଷ ଡିସେମ୍ବର ୪ରୁ ୭ ପର୍ଯ୍ୟନ୍ତ ଉଦୟପୁରରେ ଆୟୋଜିତ ହେବ।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର ଅଧ୍ୟକ୍ଷତାରେ ଆୟୋଜିତ  ହେଉଥିବା ଜି-୨୦ର ଆୟୋଜନକୁ ଐତିହାସିକ କରିବା ଲାଗି ବଡ ଧରଣର ପ୍ରସ୍ତୁତି କରାଯାଉଛି। ଏହି ଅବସରରେ ଭାରତର ବିଭିନ୍ନ ଅଞ୍ଚଳରେ ହୋଇଥିବା ପ୍ରଗତିକୁ ପ୍ରଦର୍ଶିତ କରାଯିବ। ଏଥିସହ ପର୍ଯ୍ୟଟନ , ସଂସ୍କୃତି ଏବଂ ପାର୍ବଣର ବିଶେଷତ୍ଵକୁ ଜି-୨୦ ଆୟୋଜନ ସହ ଯୋଡା ଯିବ। ଜି-୨୦ର ଭବ୍ୟ ଆୟୋଜନ ଜରିଆରେ ବ୍ରାଣ୍ଡ ଇଣ୍ଡିଆକୁ ପ୍ରମୋଟ କରାଯିବ। ଯେଉଁ ସହରରେ ବୈଠକ ହେବ ସେଠାକାର ପର୍ଯ୍ୟଟନ ସ୍ଥଳଗୁଡିକୁ ପ୍ରଦର୍ଶିତ କରାଯିବ। ଏପରିକି ସ୍ଥାନୀୟ କଳା ସଂସ୍କୃତିକୁ ପ୍ରଦର୍ଶିତ କରାଯିବ।

କେବେ ହୋଇ ନାହିଁ ଏମିତି ବୈଠକ:
ମନ୍ତ୍ରଣାଳୟ ଅନୁଯାୟୀ, ଜାମ୍ମୁ-କାଶ୍ମୀର ଲଦାଖଠୁ ନେଇ କୋହିମା ପର୍ଯ୍ୟନ୍ତ ୫୦ରୁ ଅଧିକ ସହରରେ ଜି-୨୦ ସଂପର୍କିତ ବୈଠକ ଆୟୋଜିତ ହେବ। ଏଥିରେ ମନ୍ତ୍ରୀସ୍ତରୀୟ, ଓ୍ଵାର୍କିଂ ଗ୍ରୁପ ଏବଂ ବେସରକାରୀ ବୈଠକ ସାମିଲ୍ ରହିବ। ଅଦ୍ୟାବଧି ଏତେ ବଡ ଧରଣରେ ଜି-୨୦ ବୈଠକ କେବେ ଆୟୋଜିତ ହୋଇ ନାହିଁ। ଏହା ପୂର୍ବରୁ ଚୀନରେ ୧୪ ଏବଂ ଇଣ୍ଡୋନେସିଆର ୨୫ ସହରରେ ଜି-୨୦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ରାଜ୍ୟ ସାମିଲ୍ ହେବେ। ଜି-୨୦ ଆୟୋଜନ ନେଇ ସମସ୍ତ ରାଜ୍ୟ ପକ୍ଷରୁ ପୂର୍ଣ୍ଣ ସହଯୋଗ ମଧ୍ୟ ମିଳୁଛି। ଏ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବାକୁ ଯାଉଛନ୍ତି। ବୈଠକ ସମୟରେ ୭୫ ବିଶ୍ଵ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି ପ୍ରସଙ୍ଗରେ ହେବ ଆଲୋଚନା:
ବୈଠକରେ ଆର୍ଥିକ, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଅନ୍ତର୍ଜାତୀୟ ପ୍ରସଙ୍ଗ, ଉର୍ଜା ସୁରକ୍ଷା, ଖାଦ୍ୟ ସୁରକ୍ଷା ପରି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବୈଠକରେ ଜି-୨୦ ଦେଶ ବ୍ୟତୀତ ବାଂଲାଦେଶ, ମରିସସ, ଓମାନ, ୟୁଏଇ, ନାଇଜେରିଆ ଏବଂ ଇଜିପ୍ଟକୁ ସ୍ଵତନ୍ତ୍ର ଆମନ୍ତ୍ରିତ କରାଯାଇଛି।

Get real time updates directly on you device, subscribe now.