fbpx

ଆପଣଙ୍କୁ ଯଦି କେହି ମିଛ କେସରେ ଫସାଇବେ ତେବେ ଆପଣ ବର୍ତ୍ତିବେ କିପରି: False FIRକୁ ରଦ୍ଦ କରିବେ କିପରି?

ନୂଆଦିଲ୍ଲୀ: ବିଭିନ୍ନ ବିବାଦ, ଅପରାଧକୁ ନେଇ ଥାନା, କୋର୍ଟ, କଚେରୀରେ ବହୁ ମାମଲା ଆଗତ ହୋଇଥାଏ । ତେବେ ଅନେକ ସମୟରେ କିଛି ପୁରୁଷ, ମହିଳା ଆଇନର ଦୁରୂପଯୋଗ କରି ଜଣଙ୍କ ବିରୋଧରେ ମିଛ କେସ ଦାୟର କରିଥାନ୍ତି । ଏଭଳି ସ୍ଥିତିରେ ଜଣେ ଦୋଷ ନକରି ବି କେସରେ ଅଯଥାରେ ଫସିଯାଇଥାଏ । ତେଣୁ ଜଣେ ସାଧାରଣ ନିର୍ଦ୍ଦୋଷୀ କ’ଣ କରିବ କିଛି ଭାବି ପାରିନଥାଏ । ଏଭଳି ସ୍ଥିତିରେ ପ୍ରାଥମିକ ସୂଚନା ରିପୋର୍ଟ (ଏଫଆଇଆର)କୁ ପ୍ରଥମେ ରଦ୍ଦ କରିବା ଦରକାର ।

କ୍ରିମିନାଲ ପ୍ରେସୀଜର କୋଡ-୧୯୭୪ର ଧାରା ୧୫୪ ଅଧିନରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଗ୍ରହଣ କରାଯାଇଥିବା ପ୍ରଥମ ପଦକ୍ଷେପ ହେଉଛି ଏଫଆଇଆର । ଏଫଆଇଆର ହେଉଛି ପୋଲିସ ଷ୍ଟେସନରେ ଦାୟର କରାଯାଇଥିବା ଏକ ଲିଖିଥ ଡକ୍ୟୁମେଣ୍ଟ, ଯାହାର ଆଧାରରେ ପୋଲିସ ଆକ୍ସନ ନେଇଥାଏ । ପୋଲିସରେ ଯେଉଁ ମାମଲା ଦାୟର ହୁଏ, ତାହାକୁ ଏଫଆରଇ କୁହାଯାଉଥିବା ବେଳେ ପୋଲିସ ଯେତେବେଳେ ଅପରାଧିକ ମାମଲାର ପୂରା ଯାଞ୍ଚ କରି କୋର୍ଟରେ କେସ ଆଗତ କରେ ସେତେବେଳେ ତାହାକୁ ମକଦ୍ଦମା କୁହାଯାଏ ।

କୌଣସି ଘଟଣା କିଏ ଘଟାଇଛନ୍ତି ତାହା ଆପଣ ଜାଣିନଥିଲେ ବି ଏଫଆଇଆର ଦାୟର କରିପାରିବେ । ଅନେକ ସମୟରେ କିଛି ବ୍ୟକ୍ତି ତାଙ୍କର ଶତ୍ରୁଙ୍କୁ ମିଥ୍ୟା କେସରେ ଫସାଇବାକୁ ପ୍ରୟାସ କରି ମିଥ୍ୟା ଏଫଆଇଆର ଦାୟର କରି ମାନସିକ, ଆର୍ଥିକ ଓ ଭାବନାତ୍ମକ ଭାବେ ପ୍ରଭାବିତ କରିଥାନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ବିରୋଧରେ ମିଛ କେସରେ ଚାର୍ଜଶିଟ ଫାଇଲ ହୁଏ ବା ସେ ଗିରଫ ହୁଅନ୍ତି ତେବେ ଏଭଳି ସ୍ଥିତିରେ ପୀଡ଼ିତ ସିଆରପିସିର ଧାରା ୪୮୨ ଅଧିନରେ ମିଛ ଏଫଆଇଆରକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିପାରିବେ ।

ଘରୋଇ ହିଂସା ମାମଲାରେ ମିଥ୍ୟା ଏଫଆଇଆର ବେଶି ଦେଖିବାକୁ ମିଳିଥାଏ । ଆପଣ ଓକିଲଙ୍କ ଜରିଆରେ ମିଛ ଏଫଆଇଆର ବିରୋଧରେ ଆବେଦନ କରିପାରିବେ । ଏଥିପାଇଁ ପ୍ରମାଣ ସଂଗ୍ରହ କରିବାର ଦାୟିତ୍ୱ ଆପଣଙ୍କର । ଯଦି ଆପଣଙ୍କର ଯୁକ୍ତି ଠିକ୍ ଥିବ ତେବେ ବିଚାରପତି ମିଛ ଏଫଆଇଆର ଦାୟରକାରୀଙ୍କ ବିରୋଧରେ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବେ । ସବୁଠାରୁ ବଡ଼ କଥା ହେଉଛି ଏହି ଏଫଆଇଆରକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ଆବଶ୍ୟକ ।

ଯଦି ଜଣେ ବ୍ୟକ୍ତି କାହାକୁ ଅପରାଧିକ ମାମଲାରେ ଖରାପ ଭାବେ ଫସାନ୍ତି ବା ଆଇନର ଦୁରୂପଯୋଗ କରନ୍ତି ତେବେ ଏପରି ସ୍ଥଳେ ଭାରତୀୟ ଦଣ୍ଡ ସଂହିତାର ଧାରା ୨୨୦ ଅଧିନରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ଜେଲ ଦଣ୍ଡ ବା ଜରିମାନା ହୋଇପାରେ । ସେହିପରି ଯଦି କୌଣସି ବ୍ୟକ୍ତି ଅନ୍ୟକୁ ମିଛ ଏଫଆଇଆରରେ ଫସାନ୍ତି ବା ମାନହାନୀ କେସ ଫାଇଲ କରନ୍ତି ତେବେ ଏପରି ସ୍ଥଳେ ଦୋଷୀ ବିରୋଧରେ ଜେଲଦଣ୍ଡ ସହିତ ଜରିମାନା ଲାଗୁ ହୋଇଥାଏ । ଯଦି ମିଥ୍ୟା ଏଫଆଇଆର ଦାୟର ହୋଇସାରିଥିବ ତେବେ ଯେ ପର୍ଯ୍ୟନ୍ତ ଗିରଫଦାରୀ ହୋଇନାହିଁ ସମ୍ପୃକ୍ତ ବ୍ୟକ୍ତି ୪୩୮ ଧାରା ଅନୁସାରେ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ । ଏଥିପାଇଁ ସେସନ କୋର୍ଟ ବା ହାଇକୋର୍ଟରେ ଫାଇଲ କରାଯାଇ ପାରିବ ।

Get real time updates directly on you device, subscribe now.