ନୂଆଦିଲ୍ଲୀ: ହିନ୍ଦି ଭାଷାକୁ ନେଇ ଦେଶରେ ବିବାଦ ଥମିବାର ନାମ ନେଉନି । ଗୃହମନ୍ତ୍ରୀ ଅମିତ ଶାହ ହିନ୍ଦି ଭାଷାର ଅଧିକ ବ୍ୟବହାର ପାଇଁ ଆହ୍ୱାନ ଦେଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ଏହାପରେ ହିନ୍ଦି ଭାଷାକୁ ନେଇ କନ୍ନଡ ଅଭିନେତା କିଚ୍ଚା ସୁଦୀପ ଏବଂ ଅଜୟ ଦେବଗନ ମଧ୍ୟ ମୁହାଁମୁହିଁ ହୋଇଥିଲେ । ତେବେ ଏସବୁ ଭିତରେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ମନ୍ତ୍ରୀ ଡ. ସଞ୍ଜୟ ନିଷାଦ ।
ଯେଉଁ ମାନେ ହିନ୍ଦି ଭାଷାରେ କଥା କହି ଶିଖି ନାହାନ୍ତି ସେମାନଙ୍କର ଭାରତରେ ରହିବାର ଅଧିକାର ନାହିଁ ବୋଲି କହିଛନ୍ତି ସଞ୍ଜୟ ନିଷାଦ । ଏହି ଲୋକମାନେ ଭାରତ ଛାଡିଦେବା ଉଚିତ୍ ବୋଲି କହିଛନ୍ତି ନିଷାଦ । ହିନ୍ଦି କହି ନପାରିଲେ ହିନ୍ଦୁସ୍ତାନରେ ଜାଗା ମିଳିବନି ବୋଲି ସେ କହିଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି ।
ସମସ୍ତ କ୍ଷେତ୍ରୀୟ ଭାଷା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ତେବେ ହିନ୍ଦି ଆମର ରାଷ୍ଟ୍ରଭାଷା ଏବଂ ସମସ୍ତେ ହିନ୍ଦି କହିବା ଉଚିତ୍ ବୋଲି ସେ କହିଛନ୍ତି । ଯଦି କେହି ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ୍ ବୋଲି କହିଛନ୍ତି ନିଷାଦ ଦଳର ମୁଖ୍ୟ ସଞ୍ଜୟ ନିଷାଦ କହିଛନ୍ତି । ଯେତେ ବଡ ନେତା ବା ପ୍ରତିଷ୍ଠ ବ୍ୟକ୍ତି ହୁଅନ୍ତୁ ସମସ୍ତଙ୍କୁ ଜେଲରେ ଭର୍ତ୍ତି କରାଯିବା ଉଚିତ ବୋଲି କହିଛନ୍ତି ନିଷାଦ ।