fbpx

ତୃତୀୟ ଲହରରେ ଦିଲ୍ଲୀରେ ପ୍ରତିଦିନ ସାମ୍ନାକୁ ଆସିବ ୪୫୦୦୦ କେସ ! ହାଇକୋର୍ଟକୁ ରିପୋର୍ଟ ଦେଲା ଦିଲ୍ଲୀ IIT

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହର ପରେ ବିଶେଷଜ୍ଞ ଦେଶରେ ତୃତୀୟ ଲହର ଆସିବା ନେଇ ଚେତାବନୀ ଦେଇ ସାରିଛନ୍ତି । ଏପରିକି ତୃତୀୟ ଲହରରେ ସ୍ଥିତି ଆହୁରି ଭୟାବହ ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି। ଏହି କ୍ରମରେ ଆଇଆଇଟି କାନପୁରର ବୈଜ୍ଞାନିକଙ୍କ ପକ୍ଷରୁ ତୃତୀୟ ଲହରର ଚେତାବନୀ ପରେ ଏବେ ଦିଲ୍ଲୀ ଆଇଆଇଟି ପକ୍ଷରୁ କରୋନାର ତୃତୀୟ ଲହରକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯାହା ସଭିଙ୍କ ଚିନ୍ତା ବଢାଇବାକୁ ଯାଉଛି।

ଦିଲ୍ଲୀ ହାଇକୋର୍ଟରେ ଆଇଆଇଟି ପକ୍ଷରୁ ଦାଖଲ ରିପୋର୍ଟରେ କୁହାଯାଇଛି ଯେ, କରୋନାର ତୃତୀୟ ଲହରରେ ଦିଲ୍ଲୀରେ ପ୍ରତିଦିନ ୪୫୦୦୦ ନୂତନ କେସ୍ ସାମ୍ନାକୁ ଆସିପାରେ । ଦ୍ୱିତୀୟ ଲହର ତୂଳନାରେ ୩୦ ରୁ ୬୦ ପ୍ରତିଶତ ଅଧିକ ମାମଲା ଦେଖିବାକୁ ମିଳିପାରେ । ସ୍ଥିତି ଏମିତି ହେବ ଯେ, ପ୍ରତିଦିନ ପ୍ରାୟ ୯ ହଜାର ରୋଗୀଙ୍କୁ ହସ୍ପିଟାଲରେ ଭର୍ତି କରିବାକୁ ପଡିପାରେ ।

ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ଲହରରେ ଅଧିକ ସଂଖ୍ୟାରେ ଲୋକେ କରୋନା ସଂକ୍ରମଣର କବଳରେ ଆସି ପାରନ୍ତି । ଏଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ବିଗିଡିବାରେ ସମ୍ଭାବନା ରହିଛି । ଅଧିକ ସଂଖ୍ୟାରେ ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡିପାରେ । ଦ୍ୱିତୀୟ ଲହର ପରେ ଯଦି ତୃତୀୟ ଲହର ଆସେ ତେବେ ଦିଲ୍ଲୀବାସୀଙ୍କୁ ଏହି ସଙ୍କଟରୁ ମୁକୁଳାଇବା ପାଇଁ ୯୪୪ ମେଟ୍ରିକ ଟନ ଅକ୍ସିଜେନର ଆବଶ୍ୟକତା ପଡିପାରେ ।

ଏହାର ପ୍ରସ୍ତୁତି ସମୟ ପୂର୍ବରୁ କରାଯିବାର ଆବଶ୍ୟକତା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ପରେ ହାଇକୋର୍ଟର ବିଚାରପତି ବିପିନ ସାଙ୍ଘି ଓ ବିଚାରପତି ଜସମିତ ସିଂହଙ୍କ ପୀଠ ଚାରି ସପ୍ତାହ ଭିତରେ କଣ କଣ ପଦକ୍ଷେପ ଉଠାଯାଇ ପାରିବ ସେ ସଂପର୍କରେ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।

 

Get real time updates directly on you device, subscribe now.