fbpx

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ଭାରତ, ବଢିଲା ପାକିସ୍ତାନର ଟେନସନ, ଚୀନ ବି ଅଡୁଆରେ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ଶକ୍ତିଶାଳୀ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଲା ଭାରତ । ଅଧ୍ୟକ୍ଷ ଭାବେ ଭାରତର କାର୍ଯ୍ୟକାଳ ଏକ ମାସ ରହିଛି । ଭାରତକୁ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ପାକିସ୍ତାନ ଓ ଚୀନର ଚିନ୍ତା ବଢି ଯାଇଛି । ଏହି ଦୁଇ ଦେଶକୁ ନିଜର ଅସଲ ଚେହେରା ପଦାରେ ପଡି ଯିବାର ଭୟ ଘାରିବାରେ ଲାଗିଛି । ପାକ୍ ଓ ଚୀନ ଏହି ଆଶଙ୍କାରେ ରହିଛନ୍ତି ଯେ, ଭାରତ ଦୁନିଆର ଅନ୍ୟ ଦେଶ ସମ୍ମୁଖରେ ତାଙ୍କ ଛବି ଯେମିତି ଖରାପ କରି ନଦେଉ । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି ଯେ, ଭାରତ ନିଜର କାର୍ଯ୍ୟକାଳରେ ନିରପେକ୍ଷ ଭାବେ କାମ କରିବ ଏବଂ ଉଚିତ୍ ନିଷ୍ପତ୍ତି ନେବ ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ କହିଛନ୍ତି, ଆମେ ଆଶା କରୁଛୁ ଯେ, ଭାରତ ନିଜର ଅଧ୍ୟକ୍ଷ କାର୍ଯ୍ୟକାଳରେ ନିୟମ ଏବଂ ମାନଦଣ୍ଡର ପାଳନ କରିବ । ଏହା ବ୍ୟତୀତ ପାକିସ୍ତାନ ପୁଣି ଥରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଲ୍ଲେଖ କରିଛି । ପାକିସ୍ତାନକୁ ଲାଗୁଛି ଯେ, ଭାରତ ଅଧ୍ୟକ୍ଷ ହେବାର ଅର୍ଥ ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଏହି ମଞ୍ଚରେ ଉଠାଇ ପାରିବ ନାହିଁ ।

ଭାରତର ପ୍ରଥମ କାର୍ଯ୍ୟ ଦିବସ ସୋମବାର ଅର୍ଥାତ ଅଗଷ୍ଟ ୨ରୁ ଆରମ୍ଭ ହେଉଛି । ଏହି ସମୟରେ ଭାରତ ତିନୋଟି ପ୍ରମୁଖ କ୍ଷେତ୍ର ସମୁଦ୍ର ସୁରକ୍ଷା, ଶାନ୍ତି ରକ୍ଷା ଓ ଆତଙ୍କବାଦ ରୋକିବା ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିବାକୁ ପ୍ରସ୍ତୁତ ରହିଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତୀ କହିଛନ୍ତି, ନିଜର ଅଧ୍ୟକ୍ଷତା ସମୟରେ ଭାରତ ତିନୋଟି ବଡ ପ୍ରସଙ୍ଗ ସମୁଦ୍ର ସୁରକ୍ଷା, ଶାନ୍ତିରକ୍ଷା ଓ ଆତଙ୍କବାଦ ନିରୋଧୀ ସମ୍ବନ୍ଧରେ ତିନୋଟି ଉଚ୍ଚସ୍ତର୍ୟୀ କାର୍ଯ୍ୟକ୍ରମ ଆୟୋଜନ କରିବ । ସମୁଦ୍ର ସୁରକ୍ଷା ଆମର ଉଚ୍ଚ ପ୍ରାଥମିକତା ଏବଂ ସୁରକ୍ଷା ପରିଷଦ ପାଇଁ ଏହି ପ୍ରସଙ୍ଗ ଉପରେ କଡା ଆଭିମୁଖ୍ୟ ଆପଣେଇବାର ଆବଶ୍ୟକତା ରହିଛି ।

 

Get real time updates directly on you device, subscribe now.