fbpx

ବଡ଼ ଦୁଃଖ ଖବର: ବିସ୍ମୟ ବାଳକ ସ୍ୱୟଂ ପ୍ରକାଶ ହୋତାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ୫ ବର୍ଷର ବିସ୍ମୟ ବାଳକ ସ୍ୱୟଂ ପ୍ରକାଶ ହୋତା ଆଉ ନାହାନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସମ୍ମାନିତ ହୋଇଥିବା ସ୍ୱୟଂଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । କେନ୍ଦ୍ରାପଡ଼ାର ବାସିନ୍ଦା ସ୍ୱୟଂଙ୍କର ମୃତ୍ୟୁ ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ କାଉପଡ଼ା ପଞ୍ଚାୟତର ସାନ ଫୋଗଲ ଗ୍ରାମରେ ସ୍ୱୟଂ ରହୁଥିଲେ । ନିଜର ଅଦ୍ଭୂତ ସ୍ମରଣଶକ୍ତି ପାଇଁ ଏକଦା ସାରା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ୫ ବର୍ଷର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି ସ୍ୱୟଂଙ୍କ ବାପା ସନ୍ତୋଷ କୁମାର ହୋତା । ଅସୀମତ ଜ୍ଞାନ ଓ ପ୍ରଖର ସ୍ମରଣ ଶକ୍ତି ପାଇଁ ଗତ ଜୁଲାଇ ମାସରେ ସ୍ୱୟଂ ସାଧାରଣ ଜ୍ଞାନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ସହିତ ପୁରସ୍କୃତ ହୋଇଥିଲେ ।

୨୦୧୮ ମସିହା ମେ ମାସ ୨୭ ତାରିଖରେ ସ୍ୱୟଂ କେନ୍ଦ୍ରପଡ଼ାରେ ଜନ୍ମ ଗ୍ରହଣ କରିଥିବା ବେଳେ ନିଜର ଅସାଧାରଣ ଜ୍ଞାନ ପାଇଁ ସେ ବିସ୍ମୟ ବାଳକ ଭାବେ ସାରା ରାଜ୍ୟରେ ପରିଚିତ ହୋଇଥିଲେ । ସେ ୧୯୩ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଟିଭି ଦେଖିବାକୁ ପ୍ଲଗ ଲଗାଉଥିବା ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କ ଦେହରେ ବିଦ୍ୟୁତ ଲାଗିଯାଇଥିଲା । ପରେ ତାଙ୍କୁ ଛତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିର୍ଭୁଲ ଇଂରାଜୀ କହିବାକୁ ନେଇ ସେ ଅନେକ ଥର ମଞ୍ଚରେ ସମ୍ମାନିତ ହୋଇଥିଲେ । ୟୁକେଜିରେ ପାଠ ପଢ଼ୁଥିଲେ ହେଁ ଖୁବ୍ କମ ବୟସରୁ ସ୍ୱୟଂଙ୍କର ପ୍ରତିଭା ଚମକି ଉଠିଥିଲା । ମାତ୍ର ଆଜି ସେହି ଶୈଶବ ପ୍ରତିଭାର ଦୁଃଖଦ ଅନ୍ତ ଘଟିଛି ।

Get real time updates directly on you device, subscribe now.