fbpx

UNର ରିପୋର୍ଟରେ ଖୁଲାସା: ୭୭ ବର୍ଷରେ ଦ୍ୱିଗୁଣିତ ହେବ ଭାରତର ଜନସଂଖ୍ୟା

ନୂଆଦିଲ୍ଲୀ: ଜନସଂଖ୍ୟା ପ୍ରସଙ୍ଗରେ ଭାରତ ଚୀନକୁ ପଛରେ ପକାଇ ଦେଇଛି । ଦେଶର ଜନସଂଖ୍ୟା ବିଷୟରେ ମିଳିତ ଜାତିସଂଘ ଏଜେନ୍ସି ୟୁଏନଏଫପିଏର ରିପୋର୍ଟରୁ ଜଣାପଡିଛି ଯେ, ଭାରତର ମୋଟ ଜନସଂଖ୍ୟା ୧୪୪.୧୭ କୋଟି ହୋଇଥିବାବେଳେ ୨୦୧୧ ମସିହାରେ ହୋଇଥିବା ଜନଗଣନା ସମୟରେ ଏହା ୧୨୧ କୋଟି ଥିଲା ।

ଅନ୍ୟପଟେ ଚାଇନାର ଜନସଂଖ୍ୟା ବର୍ତ୍ତମାନ ୧୪୨.୫ କୋଟି । କେବଳ ଏତିକି ନୁହେଁ, ୭୭ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ମାତୃ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି :-

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମାତୃ ମୃତ୍ୟୁହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି, ଯାହା ସାରା ବିଶ୍ୱରେ ଏହିପରି ମୃତ୍ୟୁହାରର ୮ ପ୍ରତିଶତକ ରହିଛି । ଭାରତରେ ଏହି ସଫଳତାର ଶ୍ରେୟ ଜନସାଧାରଣଙ୍କୁ ସୁଲଭ ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ତଥା ଲିଙ୍ଗଗତ ଭେଦଭାବ ହ୍ରାସ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ଦିଆଯାଇଛି ।

କେଉଁ ବୟସର କେତେ ଲୋକ?

ରିପୋର୍ଟରେ କୁହାଯାଇଛି ଯେ, ଭାରତର ପ୍ରାୟ ୨୪ ପ୍ରତିଶତ ଜନସଂଖ୍ୟା ୦-୧୪ ବର୍ଷ ବୟସର ଥିବାବେଳେ ୧୭ ପ୍ରତିଶତ ଲୋକ ୧୦-୧୯ ବର୍ଷ ବୟସର ଅଛନ୍ତି । ରିପୋର୍ଟରେ ଆହୁରି ମଧ୍ୟ ଆକଳନ କରାଯାଇଛି ଯେ, ୧୦-୨୪ ବର୍ଷ ବୟସର ୨୬ ପ୍ରତିଶତ ଲୋକ ଥିବାବେଳେ ୧୫-୬୪ ବର୍ଷ ବୟସର ୬୮ ପ୍ରତିଶତ ଲୋକ ଅଛନ୍ତି । ଭାରତର ସାତ ପ୍ରତିଶତ ଜନସଂଖ୍ୟା ୬୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ବୟସ ୭୧ ବର୍ଷ ଏବଂ ମହିଳାଙ୍କ ବୟସ ୭୪ ବର୍ଷ ରହିଛି ।

Get real time updates directly on you device, subscribe now.