fbpx

୧୪ରେ ପହଞ୍ଚିଲା ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା: ପୁଣି ୩ଟି ସ୍ୱର୍ଣ୍ଣ ଜିତିଲେ ଭାରତୀୟଙ୍କ କ୍ରୀଡ଼ାବିତ୍

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ତୃତୀୟ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଆଜି ଭାରତ ପୁରୁଷ ଜାଭେଲିନ ଥ୍ରୋ ଏଫ୬୪ ଓ ଏଫ୩୭/୩୮ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏହା ମଧ୍ୟରେ ପୁଣି ଜିତିଛି ଆଉ ୩ଟି ସ୍ୱର୍ଣ୍ଣ । ଅଙ୍କୁର ଧାମା ଓ ରକ୍ଷିତା ରାଜୁ ପୁରୁଷ ଓ ମହିଳା ୧୫୦୦ ମିଟର ଟି୧୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ପୁରୁଷ ଜାଭେଲିନ ଥ୍ରୋ ଏଫ୪୬ ଇଭେଣ୍ଟରେ ସୁନ୍ଦର ସିଂହ ଗୁର୍ଜର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏହାଫଳରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ୧୪ରେ ପହଞ୍ଚିବା ସହିତ ମୋଟ ପଦକ ସଂଖ୍ୟା ୫୫ରେ ପହଞ୍ଚିଛି । ସେଥିମଧ୍ୟରେ ୧୯ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ଏହି ପ୍ରଦର୍ଶନ ଫଳରେ ଭାରତ ଏବେ ମେଡାଲ ଟେବୁଲରେ ୪ର୍ଥ ସ୍ଥାନରେ ପହଞ୍ଚିଛି । ଚଳିତ ଥର ଭାରତର ୩୦୯ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିବା ବେଳେ ଗତ ଜାକର୍ତ୍ତା ସଂସ୍କରଣରେ ୧୮୮ ଜଣ ଆଥଲେଟ୍ ସାମିଲ ହୋଇଥିଲେ ।

Get real time updates directly on you device, subscribe now.