fbpx

ଭାରତକୁ ୨୬ତମ ସ୍ୱର୍ଣ୍ଣ ପଦକ: ପୁରୁଷ ଡବଲ୍ସ ଫାଇନାଲରେ ଜିତିଲେ ଚିରାଗ-ସାତ୍ୱିକ ଯୋଡ଼ି

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୯ଟି ପଦକ ଜିତିଥିଲା । ଫଳରେ ମୋଟ ପଦକ ସଂଖ୍ୟା ୯୫ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ପଦକ ସାମିଲ ଥିଲା । ତେବେ ଆଜି ମଧ୍ୟ ଭାରତ ବିଜୟରୁ ପଦକ ଯାତ୍ରା ଆରମ୍ଭ କରିଥିଲା ।

ତେବେ ଏହା ମଧ୍ୟରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ବ୍ୟାଟମିଣ୍ଟନ ଡବଲ୍ସ ଫାଇନାଲରେ ସାତ୍ୱିକ ଚିରାଗ- ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ପ୍ରତିପକ୍ଷ ଦକ୍ଷିଣ କୋରିଆର ଚୋଇ ସୋଲ ଗ୍ୟୁ- କିମ ଓନ ହୋ’ଙ୍କୁ ୨୧-୧୮, ୨୧-୧୬ରେ ପରାସ୍ତ କରିଛନ୍ତି । ଏସୀୟ କ୍ରିଡ଼ାରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସ / ଡବଲ୍ସରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୦୧ରେ ପହଞ୍ଚିଛି । ଗତକାଲି ଭାରତୀୟ ଯୋଡ଼ି ସେମିଫାଇନାଲରେ ମାଲେଶିଆର ଆରୋନ ଚିଆ ଓ ସୋହ ଉଇଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ଆଜି ଭାରତ ଆଉ ୫ଟି ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟାରେ ଶତକ ପୂରଣ କରିଥିଲା । ପ୍ରଥମ ଥର ପାଇଁ ଭାରତୀୟ କ୍ରିଡ଼ାବିତମାନେ ଏଭଳି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ । ସେଥିମଧ୍ୟରେ ୨୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ରହିଥିଲା । ଏଥିସହିତ ପୁରୁଷ ୮୬ କିଲୋଗ୍ରାମ ବର୍ଗ ରେସଲିଂରେ ଦୀପକ ପୁନିଆ ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ । ଦୀପକ ପ୍ରତିପକ୍ଷ ଉଜବେକିସ୍ତାନର ରେସଲରଙ୍କୁ ୪-୩ରେ ପରାସ୍ତ କରିଥିଲେ ।

ଏହା ପୂର୍ବରୁ ଆଜି ଭାରତୀୟ ମହିଳା କବାଡ଼ି ଦଳ ଫାଇନାଲରେ ଚାଇନିଜ୍ ତାଇପେଇକୁ ୨୬-୨୪ରେ ପରାସ୍ତ କରି ହ୍ୱାଙ୍ଗଝୁରେ ନୂଆ ଇତିହାସ ଲେଖିଥିଲା । ଭାରତ ଆର୍ଚେରୀରେ ଗୋଟିଏ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା । ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ଅଭିଶେଷ ବର୍ମାଙ୍କୁ ୧୪୯-୧୪୭ରେ ପରାସ୍ତ କରିଥିଲେ । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଶେକ ରୌପ୍ୟ ଜିତିଥିଲେ । ସେହିପରି ଆର୍ଚେରୀରେ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଦକ୍ଷିଣ କୋରିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିଲେ । ଆଜି ଜ୍ୟୋତି ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଅଦିତି ସ୍ୱାମୀ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.