ନୂଆଦିଲ୍ଲୀ: ଅରବପତି ଏଲନ ମସ୍କ ସଂପ୍ରତି ଚର୍ଚ୍ଚାରେ ରହିଛନ୍ତି। ସେ ନିକଟରେ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସେ ଟୁଇଟରକୁ କିଣିବା ମାତ୍ରେ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ପଦରୁ ହଟାଇ ଦେବେ। ମାତ୍ର ଭାରତୀୟ ମୂଳନିବାସୀ ପରାଗ ଅଗ୍ରଓ୍ଵାଲଙ୍କୁ ନିଜର ଚାକିରିକୁ ନେଇ କୌଣସି ଚିନ୍ତା ନାହିଁ।
ସେ କହିଛନ୍ତି, ନିଜ ଜବଠୁ ଅଧିକ କମ୍ପାନୀର ଭବିଷ୍ୟତକୁ ନେଇ ସେ ଚିନ୍ତିତ। ସେ କହିଛନ୍ତି, ସବୁଠୁ ଜରୁରୀ ଟୁଇଟର ସେବାକୁ କେମିତି ଆହୁରି ଉନ୍ନତି କରାଯାଇ ପାରିବ। ଜଣେ ୟୁଜର ପ୍ରଶ୍ନ କରିଥିଲେ ଯେ, ତାଙ୍କୁ କଣ କମ୍ପାନୀ ଚାକିରିରୁ କାଢି ଦେଇଛି। ଏହାର ଉତ୍ତରରେ ଅଗ୍ରଓ୍ଵାଲ କହିଛନ୍ତି, ସେ ଏହା ମାନି ଚାଲୁଛନ୍ତି ଯେ ମସ୍କ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ କମ୍ପାନୀରୁ ବାହାର କରି ପାରନ୍ତି।
ତେବେ ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁଯାୟୀ, ମସ୍କ ଟୁଇଟରର ନୂତନ ସିଇଓକୁ ନେଇ ପୂର୍ବରୁ ହିଁ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ତେବେ ପରାଗ ସିଇଓ ପଦରେ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ପରାଗ ଅଗ୍ରଓ୍ଵାଲଙ୍କୁ ଗତ ବର୍ଷ ନଭେମ୍ବରରେ କମ୍ପାନୀର ସିଇଓ ପଦରେ ନିଯୁକ୍ତ କରାଯାଇଥିଲା।
ଯଦି ମସ୍କ ପରାଗଙ୍କୁ ଟୁଇଟର ମାଲିକାନା ହାସଲ କରିବାର ବର୍ଷେ ଭିତରେ ଚାକିରିରୁ କାଢନ୍ତି ତେବେ ନିୟମ ଅନୁସାରେ ତାଙ୍କୁ ୪୩ ମିଲିୟନ ଡଲାର ଦେବାକୁ ପଡିବ। ଏହା ପୂର୍ବରୁ ମସ୍କ କହିଥିଲେ ଯେ, ତାଙ୍କୁ କମ୍ପାନୀର ମ୍ୟାନେଜମେଣ୍ଟ ଉପରେ ଭରସା ନାହିଁ।