fbpx

ୟୁଏଇରେ ଖେଳାଯିବ ଆଇପିଏଲ୍-୧୪ର ଅବଶିଷ୍ଟ ମ୍ୟାଚ : ଅକ୍ଟୋବର ୯ରେ ଫାଇନାଲ୍‌ ମ୍ୟାଚ୍, ଦିନକୁ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) କ୍ରିକେଟର ଦ୍ୱିତୀୟ ଭାଗ ଆସନ୍ତା ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ଦିଆ ଯାଇଛି । ଯେତେଦୂର ସମ୍ଭବ ସେପ୍ଟେମ୍ବର ୧୮ କିମ୍ଭା ୧୯ ତାରିଖ ଦିନ ଆଇପିଏଲ ଆରମ୍ଭ ହୋଇ ଅକ୍ଟୋବର ୯ କିମ୍ବା ୧୦ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି ।

ଆଗକୁ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବା ପାଇଁ ଥିବାରୁ ସ୍ୱଳ୍ପ ସମୟ ମଧ୍ୟରେ ଆଇପିଏଲ ଶେଷ ଭାଗ ସମାପ୍ତ କରିବାକୁ ବିସିସିଆଇ ଯୋଜନା କରିଛି । ତେଣୁ ୨୧ ଦିନ ମଧ୍ୟରେ ୨୦ ମ୍ୟାଚ ଅନୁଷ୍ଠିତ ହେବ । ଏକାଧିକ ଦିନ ଦୁଇ ଲେଖାଏଁ ମ୍ୟାଚ ଆୟୋଜନ କରିବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ମାଞ୍ଚେଷ୍ଟର ଠାରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୧୪ ତାରିଖ ଦିନ ଶେଷ ହେବା ପରେ ୧୫ ତାରିଖ ଦିନ ଭାରତୀୟ ଦଳର ସମସ୍ତ ସଦସ୍ୟ ଇଂଲଣ୍ଡରୁ ଏକ ସ୍ୱତନ୍ତ୍ର ଚାର୍ଟର ବିମାନରେ ୟୁନାଇଟେଡ ଅଭିମୁଖେ ଯାତ୍ରା କରିବେ । ଏଠାରେ ପହଞ୍ଚିବା ପରେ ଖେଳାଳି ମାନେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ବାୟୋ ବବଲ୍‌ରେ ପ୍ରବେଶ କରିବାକୁ ପଡିବ ।

ବିସିସିଆଇ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଇଂଲଣ୍ଡର ଯେଉଁ ଖେଳାଳି ମାନେ ଆଇପିଏଲର ଦ୍ୱିତୀୟ ଭାଗ ଖେଳିବା ପାଇଁ ଚାହିଁବେ,ସେମାନେ ଭାରତୀୟ ଦଳ
ସହ ଚାର୍ଟର ବିମାନରେ ଭାରତୀୟ ଖେଳାଳିଙ୍କ ସହ ଦୁବାଇରେ ପହଞ୍ଚି ପାରିବେ । ସେହିପରି ୱେଷ୍ଟଇଣ୍ଡିଜ ଖେଳାଳି ମାନେ କାରବିୟାନ ପ୍ରିମିୟର ଲିଗ୍‌ ଶେଷ କରି
ୟୁନାଇଟେଡ ଆରବ ଏମିରେଟ୍ସରେ ପହଞ୍ଚି କେବଳ ତିନି ଦିନ କ୍ୱାରେଣ୍ଟାଇନରେ ରହିବେ ।

ସୂଚନା ଯୋଗ୍ୟ ଯେ, ଆଇପିଏଲର ପ୍ରଥମ ଭାଗ ଖେଳିଥିବା ଇଂଲଣ୍ଡ କ୍ରିକେଟରଙ୍କ ମଧ୍ୟରୁ କିଛି ଖେଳାଳିଙ୍କ ଆଇପିଏଲର ଦ୍ୱିତୀୟ ଭାଗ ପାଇଁ ଉପଲବ୍ଧ ହୋଇ ପାରିବେ ନାହିଁ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ସୂଚନା ଦେଇଥିଲା । ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ ପାଇଁ ପ୍ରସ୍ତୁତ ହେବା ସକାଶେ ସମସ୍ତ ଫ୍ରାଞ୍ଚାଇଜଙ୍କୁ ବିସିସିଆଇ ପକ୍ଷରୁ ଅବଗତ କରା ଯାଇଛି ।

Get real time updates directly on you device, subscribe now.