IPL 2025: ଯେଉଁ ନିୟମ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲାଗିଥିଲା ପ୍ରତିବନ୍ଧକ , ତାହାକୁ ନେଇ ବଡ଼ ନିଷ୍ପତ୍ତି ନେଲା BCCI
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗତ ଆଇପିଏଲ ସିଜିନରେ ଦଳର ସ୍ଲୋ ଓଭର-ରେଟ୍ ଉଲ୍ଲଂଘନ ଯୋଗୁଁ ଗୋଟିଏ ମ୍ୟାଚ୍ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏହି କାରଣରୁ ସେ IPL 2025ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ। ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏହି ନିୟମର ପୁନର୍ବିଚାର କରିଛି ଏବଂ ଆଗାମୀ ସିଜିନରେ ଅଧିନାୟକମାନଙ୍କୁ ଆଶ୍ୱସ୍ତି ଦେଇଛି।
ବିସିସିଆଇ ବଲ୍ରେ ଲାଳ ଲଗାଯିବା ଉପରେ ଲାଗିଥିବା କଟକଣା ହଟାଇ ଦେଇଛି। ଏହା ସହିତ ଆଉ କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ସ୍ଲୋ ଓଭର ରେଟ୍ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ ଏବେ ସ୍ଲୋ ଓଭର ରେଟ୍ କାରଣରୁ କୌଣସି ବି ଅଧିନାୟକଙ୍କ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ।
ଏହା ବଦଳରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଅନ୍ୟ ବିକଳ୍ପ କରାଯିବ। ଏବେ କୌଣସି ଅଧିନାୟକଙ୍କ ଉପରେ ମ୍ୟାଚ୍ କଟକଣା ପରିବର୍ତ୍ତେ ଖାତାରେ ଡିମେରିଟ୍ ଯୋଡ଼ ଦିଆଯିବ।
ଡିମେରିଟ୍ ପଏଣ୍ଟକୁ ନେଇ ମଧ୍ୟ ନିୟମ ତିଆରି କରାଯାଇଛି। ଯଦି ଲେବଲ ୧ର ଅପରାଧ ହୋଇଥିବ ତେବେ ଅଧିନାୟକଙ୍କ ଉପରେ ଡିମେରିଟ୍ ପଏଣ୍ଟ ସହ ୨୫ରୁ ୭୫ ପ୍ରତିଶତ ଯାଏଁ ମ୍ୟାଚ୍ ଫି କଟାଯିବ। ଯଦି ଲେବଲ ୨ର ଅପରାଧ ହୁଏ ତେବେ ୪ ଡିମେରିଟ୍ ପଏଣ୍ଟ ଯୋଡ଼ି ଦିଆଯିବ। ଅଧିନାୟକଙ୍କୁ ୪ ଡିମେରିଟ୍ ପଏଣ୍ଟ ମିଳିଲେ ୧୦୦ ପ୍ରତିଶତ ମ୍ୟାଚ୍ ଫି କଟିବ।
ତେବେ ମୁମ୍ବାଇ ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ମ୍ୟାଚ୍ ସହିତ ତା’ର ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ରେ ଷ୍ଟାର ଅଲରାଉଣ୍ଡର ଖେଳିବେ ନାହିଁ। ପୂର୍ବ ସଂସ୍କରଣରେ ହୋଇଥିବା ଭୁଲ ପାଇଁ ତାଙ୍କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦଣ୍ଡିତ କରିଛି।