fbpx

ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନେବା ରେଳ ଯାତ୍ରୀଙ୍କ ପାଇଁ ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ହେଉ କିମ୍ବା ଦୂର ସ୍ଥାନକୁ ଯିବାପାଇଁ ହେଲେ ଅଧିକାଂଶ ଲୋକେ ଟ୍ରେନରେ ଯିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ଫ୍ଲାଇଟ ତୁଳନାରେ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି । କାରଣ ଟ୍ରେନରେ ଫ୍ଲାଇଟ୍ ତୁଳନାରେ ଅଧିକ ସାମାନ ନେଇହୁଏ । ଆଉ ଏହି ଅଧିକ ସାମାନ ନେବା ଅନେକ ସମୟରେ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇପାରେ ।

ଏହାକୁ ଦୃଷ୍ଟିରେ ରଖି ରେଲୱେ ଏକ ଚେତାବନୀ ଜାରି କରି କହିଛି ଯେ ଅଧିକ ସାମାନ ହେଲେ ପାର୍ସଲ କାର୍ଯ୍ୟାଳୟରୁ ଲଗେଜ୍ ବୁକ୍ କରିବାକୁ ହେବ । ରେଳ ମନ୍ତ୍ରାଳୟ ଏକ ଟ୍ୱିଟ୍ କରି ଲୋକଙ୍କୁ ଯାତ୍ରା ସମୟରେ କେବଳ ଆବଶ୍ୟକତା ଅନୂଯାୟୀ ସାମଗ୍ରୀ ନେବାକୁ ପରାମର୍ଶ ଦେଇଛି ।

ଟ୍ରେନରେ ବି ଏକ ସୀମିତ ସଂଖ୍ୟାରେ ଲଗେଜ ନେବା ପାଇଁ ରହିଛି କିନ୍ତୁ ତଥାପି ଲୋକେ ଅଧିକ ଜିନିଷ ଧରି ଟ୍ରେନରେ ଯାତ୍ରା କରନ୍ତୁ ଫଳରେ ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହୋଇଥାଏ । ଏଥିପାଇଁ ରେଲେୱେ ଅଧିକ ସାମଗ୍ରୀ ଧରି ଯାତ୍ରା କରୁଥିବା ଲୋକଙ୍କ ପାଇଁ ଲଗେଜ ବୁକ୍ କରିବା ପାଇଁ ପରାମର୍ଶ ଦେଇଛି । ମନ୍ତ୍ରାଳୟ କହିଛନ୍ତି ଯେ ଯଦି ଅଧିକ ସାମାନ ରହିଛି ତେବେ ପାର୍ସଲ କାର୍ଯ୍ୟାଳୟକୁ ଯାଇ ଲଗେଜ ବୁକ୍ କରିବାକୁ ହେବ ।

ରେଲୱେ ନିୟମ ଅନୂଯାୟୀ ଯାତ୍ରୀ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମାନ ନେଇପାରିବେ । ଯଦି କେହି ଏହାଠାରୁ ଅଧିକ ସାମାନ ସହ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିବ । ନିୟମ ଅନୂଯାୟୀ ଯାତ୍ରୀ ସ୍ଲିପର କ୍ଲାସରେ ନିଜ ସହ ୪୦ କେଜି ପର୍ଯ୍ୟନ୍ତ ସାମାନ ରଖିପାରିବେ । ଟୁ ଟିୟର ଏସିରେ ୫୦ କିଲୋ ଏବଂ ଫାର୍ଷ୍ଟ କ୍ଲାସ ଏସିରେ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ସାମାନ ନିଜ ସାଥିରେ ରଖିପାରିବେ ।

ସୂଚନାଯୋଗ୍ୟ, ଧାର୍ଯ୍ୟ ସୀମାରୁ ଅଧିକ ସାମାନ ହେଲେ ଏଣିକି ରେଲୱେ ଅତିରିକ୍ତ ଶୁଳ୍କ ଆଦାୟ କରିପାରେ । ଏହା ସହ ଟ୍ରେନରେ ନିଷେଧ ସାମଗ୍ରୀ ନେବା ଉପରେ ମଧ୍ୟ କଟକଣା ଲଗାଯାଇଛି, ଏମିତି କଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏମିତିରେ ରେଲୱେ ଯାତ୍ରୀଙ୍କ ପାଇଁ ପାର୍ସଲ ସୁବିଧା ଉପଲବ୍ଧ ରହିଛି । ଏହା ଅନୂଯାୟୀ ଯାତ୍ରୀ ସାମାନର ଭଡ଼ା ଦେଇ ପାର୍ସଲ ବୁକ୍ କରିପାରିବେ ଏବଂ ଆରାମରେ ବିନା କୌଣସି ଚିନ୍ତାରେ ଯାତ୍ରାର ମଜା ଉଠାଇପାରିବେ ।

Get real time updates directly on you device, subscribe now.