fbpx

ହାର୍ଦ୍ଦିକ ପାଣ୍ଡ୍ୟା ହୋଇ ପାରନ୍ତି ଭାରତୀୟ ଦଳର ଅଧିନାୟକ, ସୁନୀଲ ଗାଭାସ୍କରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଅଲରାଉଣ୍ଡର ପ୍ରଦର୍ଶନ ସହ ଅଧିନାୟକତ୍ଵରେ ସଭିଙ୍କୁ ପ୍ରଭାବିତ କରିଛନ୍ତି। ତାଙ୍କ ନେତୃତ୍ଵରେ ଗୁଜରାଟ୍ ଟାଇଟନ୍ସ ନିଜର ପଦାର୍ପଣ ସଂସ୍କରଣରେ ଚାମ୍ପିଅନ ହୋଇଛି। ପାଣ୍ଡ୍ୟାଙ୍କ ନେତୃତ୍ଵ କ୍ଷମତାରେ ପ୍ରଭାବିତ ପୂର୍ବତନ ମହାନ ବ୍ୟାଟସମୟାନ ସୁନୀଲ ଗାଭାସ୍କର କହିଛନ୍ତି, ଏହି ତାରକା ଅଲରାଉଣ୍ଡର ନିକଟ ଭବିଷ୍ୟତରେ ଭାରତୀୟ ଦଳର ନେତୃତ୍ଵ ନେବାକୁ ପ୍ରବଳ ଦାବିଦାର ଭାବେ ସାମ୍ନାକୁ ଆସିଛନ୍ତି। ଗତ ବର୍ଷ ଟି-୨୦ ବିଶ୍ଵ କପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ଚଳିତ ସିଜିନରେ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି।

ଗାଭାସ୍କର ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ନିଶ୍ଚିତ ଭାବେ ହାର୍ଦ୍ଦିକଙ୍କ ନେତୃତ୍ଵକର୍ତ୍ତା ଭାବେ ସାମ୍ନାକୁ ଆସିଛନ୍ତି। ଏହି ଆକଳନ କେବଳ ମୋର ନୁହେଁ ସଭିଙ୍କର। ଯଦି ଆପଣଙ୍କ ଭିତରେ ନେତୃତ୍ଵ କ୍ଷମତା ରହିଛି ତେବେ ନିକଟ ଭବିଷ୍ୟତରେ ଭାରତୀୟ ଜାତୀୟ ଦଳର ଅଧିନାୟକତ୍ଵର ସମ୍ମାନର ରାସ୍ତା ଆପେ ଆପେ ଖୋଲିଯାଏ। ଏହା ବହୁତ ରୋମାଞ୍ଚକର ଯେ, ଭାରତୀୟ ଦଳରେ ତିନି ଚାରି ନାମ ଅଧିନାୟକ ଦୌ଼ଡରେ ରହିଛି। ମୁଁ ଏହା କହିବି ନାହିଁ ଯେ, ଦଳର ଆଗାମୀ ଅଧିନାୟକ ହାର୍ଦ୍ଦିକ ହେବେ। ମାତ୍ର ଚୟନକର୍ତ୍ତାଙ୍କ ନିକଟରେ ବହୁତ ବିକଳ୍ପ ରହିଛି।

ଗାଭାସ୍କର କହିଛନ୍ତି, ଆମେ ସମସ୍ତେ ବେଶ୍ ଭଲ ଭାବେ ଜାଣିଛନ୍ତି ଯେ, ହାର୍ଦ୍ଦିକ ବ୍ୟାଟ୍ ସହିତ କଣ କରି ପାରନ୍ତି ଏବଂ ବୋଲିଂରେ କଣ କରି ପାରିବେ। ହେଲେ ସିଜିନ ଆରମ୍ଭ ପୂର୍ବରୁ ଏହି ଚିନ୍ତା ଥିଲା ଯେ, କଣ ସେ ନିଜ କୋଟାର ଚାରି ଓଭର ପୂରଣ କରି ପାରିବେ। ହେଲେ ହାର୍ଦ୍ଦିକ ଏହା କରି କି ଦେଖାଇଛନ୍ତି। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ସବୁ କରିଛନ୍ତି, ଯାହା କରିବା ଉଚିତ୍। ତାଙ୍କ ପ୍ରଦର୍ଶନରେ ଏବେ ସମସ୍ତେ ଖୁସି ବୋଲି ଗାଭାସ୍କର କହିଛନ୍ତି।

Get real time updates directly on you device, subscribe now.