fbpx

କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ, ନିଖୋଜ ସୁରଜଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍

ମାଲକାନଗିରି, (ଭାସ୍କର ନ୍ୟୁଜ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି । ବିଜାପୁର ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ସିଆରପିଏଫର କୋବ୍ରା ବାଟାଲିୟନର ଯବାନମାନେ ଦୁଇ ଦିନ ତଳେ ସିଲଗେର ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ । ଶନିବାର ସମସ୍ତେ ଫେରୁଥିବା ବେଳେ ଏକ ପାହାଡ଼ିଆ ନାଳ ପାର ହେବା ସମୟରେ ଜଣେ ଯବାନ ନାଳରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ନିଖୋଜ ଯବାନ ଜଣକ ଆର. ସୁରଜ କୁମାର ବୋଲି ଜଣାପଡ଼ିଛି । ଯବାନ ଏବଂ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ନିଖୋଜ ଯବାନଙ୍କୁ ଉଦ୍ଧାର କରାଯାଇପାରି ନଥିବା ସିଆରପିଏଫ ଡିଆଇଜି କମଲ ସିଂ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଯବାନମାନେ ଜଙ୍ଗଲକୁ କମ୍ବିଂ କରିବାକୁ ଯାଉଥିବା ବେଳେ ବର୍ଷାଦିନେ ପାହାଡ଼ିଆ ନାଳ ପାର ହେବାକୁ ପଡ଼ିଥାଏ । ଏହି ସମୟରେ ଯବାନମାନେ ହାତ ଧରାଧରି ହୋଇ ନାଳ ପାର ହୋଇଥାନ୍ତି । ତେବେ କିଭଳି ଯବାନ ଜଣକ ନଦୀରେ ଭାସିଗଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.