fbpx

ବାଟମାରଣା ମନରେଗା ଯୋଜନା, ଜବକାର୍ଡ଼ଧାରୀଙ୍କ ଆକାଉଣ୍ଟକୁ ଆସୁନି ଟଙ୍କା: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ‘ମନରେଗା ଯୋଜନାରେ ବ୍ୟାପକ ଅର୍ଥ ବାଟମାରଣା ହୋଇଛି । ବଡ଼ ବଡ଼ ଲୋକଙ୍କ ନାଁରେ ରହୁଛି ଜବ୍ କାର୍ଡ଼ । ସେମାନଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା । ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି ।’ ବିଧାନସଭାର ପ୍ରଶ୍ନକାଳରେ ଏମିତି କିଛି ବିବୃତି ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ।

ଆଜି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ୱାଦଶ ଦିନ । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିଥିଲା ପ୍ରଶ୍ନକାଳ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ ବ୍ୟତୀତ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କରାଯିବ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଂଚାୟତ ଲେବୁଲରେ ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହେଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ। ସେଥିରେ କୌଣସି ସନ୍ଧେହ ନାହିଁ ବୋଲି କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ।

ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାରଣରୁ ଆମ ଓଡ଼ିଶା ନବୀନ ଓଡ଼ିଶାର ଅନେକ ଟଙ୍କା ସେଥିରେ ଲାଗିଥିଲା । ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟ ପାଇଁ ଟଙ୍କାର ଅଭାବ ଦେଖା ଦେଇଥିଲା । ତେଣୁ ଆମେ ଖୁବ ଶୀଘ୍ର ଏଥିପାଇଁ ପଦକ୍ଷେପ ଗ୍ରହଣ କରିବୁ । ମନରେଗାରେ ବ୍ୟାପକ ବାଟମାରଣା ହେଉଛି । କାମ କରୁଥିବା ଲୋକେ ଟଙ୍କା ପାଉ ନାହାନ୍ତି । ଫଳରେ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ୁଛି । ତେଣୁ ଆମେ ଏହାକୁ ବନ୍ଦ କରିବା ପାଇଁ ଯୋଜନା କରୁଛୁ । ଆଗକୁ ଓଡ଼ିଶାକୁ ଦାଦନ ମୁକ୍ତ କରିବୁ । ‘ପୂର୍ବ ସରକାର ସରପଞ୍ଚକୁ ଜିଲ୍ଲାପାଳ କ୍ଷମତା ଦେବା ପାଇଁ କୁହାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ କ୍ଷମତାରୁ ବିଚ୍ୟୁତ କରିଦେଲେ । ଆଦିବାସୀ ଅଞ୍ଚଳରେ ସରପଞ୍ଚମାନଙ୍କୁ ୨୨ ଟି କ୍ଷମତା ଦିଆଯିବ । ଆମ ସରକାର ଖୁବଶୀଘ୍ର ପେସା ଆଇନ ଆଣିବାକୁ ଯାଉଛନ୍ତି । ଆଗକୁ ପଂଚାୟତକୁ ସମ୍ପୂର୍ଣ୍ଣ ପାୱାର ଦିଆଯିବ ବୋଲି ବିଧାନସଭାର ପ୍ରଶ୍ନକାଳରେ କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ।

 

 

Get real time updates directly on you device, subscribe now.