fbpx

ଆରଆରବି ଏନଟିପିସି ହଙ୍ଗାମା: କେସ୍ ରୁଜୁ ହେବା ମାତ୍ରେ ଖାନ ସାର ଅଣ୍ଡରଗ୍ରାଉଣ୍ଡ, ମୋବାଇଲ୍ ଫୋନ ସୁଇଚ୍ ଅଫ

ନୂଆଦିଲ୍ଲୀ : ଆରଆରବି ଏନଟିପିସି ହିଂସାତ୍ମକ ପ୍ରଦର୍ଶନ ଘଟଣାରେ କେସ୍ ରୁଜୁ ହେବା ମାତ୍ରେ ପାଟନାର ପ୍ରସିଦ୍ଧ ଶିକ୍ଷକ ଖାନ ସାର ଅଣ୍ଡର ଗ୍ରାଉଣ୍ଡ ହୋଇ ଯାଇଛନ୍ତି । ତାଙ୍କର ମୋବାଇଲ୍ ଫୋନ ସୁଇଚ୍ ଅଫ୍ ରହିଛି । ପୋଲିସ ଏବେ ନୋଟିସ୍ ପଠାଇବା ସହ ପୂରା ମାମଲାରେ ଖାନ ସାରଙ୍କୁ ପଚରା ଉଚୁରା କରିବାକୁ ପ୍ରସ୍ତୁତି କରୁଛି । ଛାତ୍ରଙ୍କ ହଙ୍ଗାମା ପରେ ଖାନ ସାରଙ୍କ ବିରୋଧରେ ମଙ୍ଗଳବାର ଏଫଆଇଆର ରୁଜୁ ହୋଇଥିଲା । ଛାତ୍ରଙ୍କୁ ଉସୁକାଇବା ଅଭିଯୋଗରେ ଖାନ ସାର ସମେତ ଅନେକ କୋଚିଂ ସଞ୍ଚାଳକଙ୍କ ବିରୋଧରେ ଏତଲା ଦାୟର ହୋଇଛି ।

ପତ୍ରକାରନଗର ଥାନା ଅଧିକାରୀ ମନୋରଞ୍ଜନ ଭାରତୀଙ୍କ ଅନୁଯାୟୀ, ଯାଞ୍ଚରେ ସହଯୋଗ କରିବା ପାଇଁ ଯେଉଁମାନଙ୍କୁ ନୋଟିସ୍ ଜାରି କରାଯାଇଛି, ସେମାନଙ୍କ ମଧ୍ୟରେ ଖାନ ସାର ଏବଂ କୋଚିଂ ସଞ୍ଚାଳକଙ୍କ ନାମ ପ୍ରଥମରେ ରହିଛି । ଏହା ପରେ ଯଦି ସେମାନେ ହାଜର ହେବେ ନାହିଁ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିଂସାତ୍ମକ କାଣ୍ଡ ଭିଆଇଥିବା ଏବଂ ଷଡଯନ୍ତ୍ର ରଚିଥିବା ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ କରୁଛି ପୋଲିସ ।

ପୋଲିସ ସମସ୍ତ ଭିଡିଓର ଯାଞ୍ଚ ଆରମ୍ଭ କରି ଦେଇଛି । ଅନ୍ୟପଟେ କେସ୍ ରୁଜୁ ହେବା ପରେ ଖାନ ସାରଙ୍କ ମୋବାଇଲ ଲଗାତାର ସୁଇଚ୍ ଅଫ ରହିଛି । ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ପୋଲିସ ଭିଖନା ପାହାଡି, ମୁସଲ୍ଲହପୁର ହାଟ, ରାଜେନ୍ଦ୍ର ନଗର, ଦବାଜାର ସମିତି ପରି ଅଞ୍ଚଳରେ ଆଲର୍ଟ ରହିଛି ।

ପାଟନା ପୋଲିସ ୟୁଟ୍ୟୁବ ଏବଂ ସାମାଜିକ ଗଣମାଧ୍ୟମ ସାଇଟ୍ ଉପରେ ତୀକ୍ଷ୍ଣ ନଜର ରଖିଛି । ଉତ୍ତେଜନାମୂଳକ ଭାଷଣ ଦେଇଥିବା ଏବଂ ଛାତ୍ରଙ୍କୁ ଉସୁକାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଏପରିକି ଭିନ୍ନ ଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପ ଉପରେ ନଜର ରଖିଛି ପୋଲିସ୍ ।

Get real time updates directly on you device, subscribe now.