fbpx

ସାଇକେଲରେ ବୁଲୁଥିଲେ ଜିଲ୍ଲାପାଳ, ଅଟକାଇଲେ କନଷ୍ଟେବଳ, ତାପରେ…

ଲକଡାଉନ ପାଇଁ ନିୟମ ଲାଗିଛି କଡ଼ାକଡ଼ି

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରା ଦେଶରେ ନାନା କଟକଣା କଡ଼ାକଡ଼ି ଭାବେ ଲାଗୁ ହୋଇଛି । ଏପରିକି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଲକଡାଉନ୍, ଶଟଡାଉନ୍, କର୍ଫ୍ୟୁ ଆଦି ଲାଗୁ କରିଛନ୍ତି । ନିହାତି ଜରୁରି ନଥିଲେ କେହି ଘରୁ ବାହାରିବାକୁ ମଧ୍ୟ ସ୍ପଷ୍ଟ ଭାବେ ବାରଣ କରାଯାଇଛି । ଏଥିପାଇଁ ଛକ ଛକରେ ଜଗିଛି ପୋଲିସ୍ । ଚାଲିଛି କଡ଼ା ଚେକିଂ । ତେବେ ଖୋଦ୍ ଜଣେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଲକଡାଉନ୍ରେ ସାଇକେଲ୍ ନେଇ ବୁଲିବା କେତେଦୂର ଠିକ୍! ଏକଥା ଆମେ ପଚାରୁ ନାହୁଁ, ନିୟମ ପ୍ରତି ସଜାଗ ରହିଥିବା ଓ ନିଜ କର୍ତ୍ତବ୍ୟ ପ୍ରତି ଖୁବ୍ ସଚେତନ ରହିଥିବା ଜଣେ ମହିଳା କନଷ୍ଟେବଳ ଏଭଳି ହୃଦଙ୍ଗମ କରିବା ସହ ଜିଲ୍ଲାପାଳଙ୍କୁ ଅଟକାଇ ଦେଲେ । ଏଥିସହ ତାଗିଦ୍ କଲେ । ଅସଲ କଥା ହେଲା ସେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିଥିଲେ ଓ ଜିଲ୍ଲାପାଳଙ୍କୁ ଚିହ୍ନି ପାରିନଥିଲେ । ଏଭଳି ଏକ ଚର୍ଚ୍ଚାର ଘଟଣା ଘଟିଛି ଏଇ ଦେଶରେ ।

ସୂଚନା ଅନୁସାରେ ରାଜସ୍ଥାନର ଭିଲୱାଡା ଜିଲ୍ଲାପାଳ ତଥା ଡିଏମ୍ ଶିବ ପ୍ରସାଦ ଗତ ମଙ୍ଗଳବାର ଲକଡାଉନ୍ ସମୟରେ ସହରର ସ୍ଥିତି ଅନୁଧ୍ୟାନ ପାଇଁ ସାଇକେଲ୍ ନେଇ ବାହାରିଥିଲେ । ତେବେ ସେ ଯେଉଁ କ୍ଷେତ୍ରକୁ ଯାଉଥିଲେ ସେ ସମ୍ପର୍କରେ ଆଗୁଆ ସୂଚନା ପାଇ ପୁଲିସ୍ ବଳ ଆଉଟିକେ ସଜାଗ ହୋଇଯାଉଥିଲେ । ଠିକ୍ ସେହିପରି ମହିଳା କନଷ୍ଟେବଳ ନିର୍ମଳା ଦେବୀ କର୍ତ୍ତବ୍ୟରେ ଆଦୌ ଢିଲା କରିନଥିଲେ । ତେଣୁ ସାଇକେଲ୍ ରେ ଆସୁଥିବା ଡିଏମ୍ ଶିବ ପ୍ରସାଦଙ୍କୁ ଅଟକାଇ ଦେଇଥିଲେ ।

ଗୋଟିଏପଟେ ଲକଡାଉନ୍ ଜାରି ରହିଥିବାବେଳେ ଗତ ସୋମବାର ରାତିରେ ହୋଇଥିବା ବର୍ଷା ପାଇଁ ଚାରିଆଡ଼େ ସ୍ଥିତି ଜଟିଳ ହୋଇପଡ଼ିଥିଲା । ଏଭଳି ସ୍ଥିତି ପରଖିବା ପାଇଁ ଡିଏମ୍ ଶିବ ପ୍ରସାଦ ସାଇକେଲ୍ ନେଇ ବାହାରି ପଡ଼ିଥିଲେ । ପଛରେ ଆସୁଥିଲେ ସୁରକ୍ଷା କର୍ମୀ ଓ ଅନ୍ୟ ଅଧିକାରୀବୃନ୍ଦ । କିନ୍ତୁ ଏହା ପୂର୍ବରୁ ନିର୍ମଳା ଦେବୀ ଡିଉଟି କରୁଥିବା ଅଞ୍ଚଳରେ ଡିଏମଙ୍କୁ ଅଟକାଇ ଦେଇଥିଲେ । ପରେ ଯେତେବେଳେ ସେ ଜାଣିପାରିଲେ ଯେ ସାଇକେଲ୍ ଆରୋହୀ ଜଣଙ୍କ ସ୍ୱୟଂ ଜିଲ୍ଲାପାଳ ତଥା ଡିଏମ୍, ନିର୍ମଳା ଦେବୀ ଭୟ ପାଇଯାଇଥିଲେ । କାରଣ ସେ ଡିଏମ୍ ଚିହ୍ନି ନପାରି ଅଟକାଇବା ଭୁଲ୍ ହୋଇଛି ବୋଲି ଅନୁତପ୍ତ ଥିଲେ । ତେବେ ଏହି ଘଟଣା ପରେ ନିର୍ମଳା ଦେବୀଙ୍କ କର୍ତ୍ତବ୍ୟ ପରାୟଣତା ଓ ସଚ୍ଚୋଟତା ପାଇଁ ଡିଏମ୍ ଶିବ ପ୍ରସାଦ ପ୍ରଶଂସା କରିଥିଲେ । ଖାଲି ସେତିକି ନୁହେଁ, ନିର୍ମଳାଙ୍କୁ ସବୁ ମହଲରୁ ମିଳୁଛି ସାବାସୀ । ସବୁରି ମୁହଁରେ ଗୋଟିଏ କଥା- ସାହସୀ ମହିଳା ପୋଲିସ୍… ସାଲ୍ୟୁଟ୍ ।

Get real time updates directly on you device, subscribe now.