fbpx

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର କୋଚ୍ ହେବେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ ୨୦ ।୦୫: ଭାରତୀୟ କ୍ରିକେଟ୍ ଦଳ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ପ୍ରସ୍ତୁତି ଜାରି ରହିଛି । ହେଲେ ସବୁଠୁ ବଡ କଥା ଏହି ଗସ୍ତରେ ଭାରତୀୟ ଦଳର କୋଚିଂ ଦାୟିତ୍ୱ ସମ୍ଭାଳିବେ ପୂର୍ବତନ ଦିଗ୍‌ଜ ଖେଳାଳି ରାହୁଲ ଦ୍ରାବିଡ । ଶ୍ରୀଲଙ୍କା ଗସ୍ତରେ ଭାରତ ତିନି ମ୍ୟାଚର ଦିନିକିଆ ଓ ତିନି ମ୍ୟାଚର ଟି-୨୦ ସିରିଜ ଖେଳିବ ।

ରାହୁଲ ସଂପ୍ରତି ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ପ୍ରମୁଖ ଅଛନ୍ତି । ଏହା ପୂର୍ବରୁ ଭାରତର ୧୯ ବର୍ଷରୁ କମ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ (କୋଚ) ରହି ସାରିଛନ୍ତି । ସିନିୟର ଦଳ ସହିତ ଦ୍ରାବିଡ ଦ୍ୱିତୀୟ ଥର ଜଡିତ ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୪ରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ଦାୟିତ୍ୱ ତୁଲାଇଥିଲେ।

ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଭାରତୀୟ ଦଳର ସମସ୍ତ କୋଚିଂ ସଦସ୍ୟ ଇଂଲଣ୍ଡ ଗସ୍ତରେ ଥିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଶ୍ରୀଲଙ୍କା ଗସ୍ତରେ ଯୁବ ଦଳକୁ ଦ୍ରାବିଡଙ୍କ ମାର୍ଗଦର୍ଶନ ମିଳିବ, କାରଣ ସେ ପୂର୍ବରୁ ପ୍ରାୟତଃ ଭାରତୀୟ ଏ ଦଳର ସବୁ ଖେଳାଳିଙ୍କ ସହ କାମ କରି ସାରିଛନ୍ତି । ଏଥିରେ ଯୁବ ଖେଳାଳିଙ୍କୁ ଅତିରିକ୍ତ ଫାଇଦା ମିଳିବ ।

ଦ୍ରାବିଡ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ୧୯ ବର୍ଷରୁ କମ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ । ତାଙ୍କ ପ୍ରଶିକ୍ଷଣରେ ଭାରତର ଅଣ୍ଡର ୧୯ ଦଳ ୨୦୧୬ ବିଶ୍ୱ କପରେ ଉପ ବିଜେତା ହେବା ସହ ୨୦୧୮ରେ ଚମ୍ପିଆନ ହୋଇଥିଲା । ଏହାପରେ ୨୦୧୯ରେ ଦ୍ରାବିଡଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା ।

ଭାରତୀୟ ଦଳ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଂଚିବେ । ଏଠାରେ ଜୁଲାଇ ୧୩ରୁ ଦିନିକିଆ ସିରିଜ୍ ସହ ଭାରତର ଗସ୍ତ ଆରମ୍ଭ ହେବ । ଜୁଲାଇ ୧୩ରେ ପ୍ରଥମ ଦିନିକିଆ, ୧୬ ତାରିଖରେ ଦ୍ୱିତୀୟ ଏବଂ ୧୯ ତାରିଖରେ ତୃତୀୟ ମୁକାବିଲା ଖେଳାଯିବ । ଏହା ପରେ ତିିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ । ପ୍ରଥମ ମ୍ୟାଚ୍ ଜୁଲାଇ ୨୨, ଦ୍ୱିତୀୟ ଜୁଲାଇ ୨୪ ଏବଂ ତୃତୀୟ ମ୍ୟାଚ୍ ଜୁଲାଇ ୨୭ରେ ଖେଳାଯିବ । ସମସ୍ତ ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।

Get real time updates directly on you device, subscribe now.