fbpx

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ମେସି; ୨୧ ବର୍ଷ ପରେ ଛାଡିଲେ ବାର୍ସେଲୋନା

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଲିଓନେଲ ମେସି ବାର୍ସେଲୋନା ପାଇଁ ନିଜର ଅନ୍ତିମ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଛନ୍ତି । ଦୀର୍ଘ ୨୧ ବର୍ଷର ସମ୍ପର୍କ ଛିନ୍ନ ହେଉଥିବା ବେଳେ ବାର୍ସେଲୋନା ପାଇଁ ନିଜର ଅନ୍ତିମ ପ୍ରେସ କନଫରେନ୍ସରେ ଯୋଗ ଦେଇଥିଲେ ମେସି । ୩୪ ବର୍ଷୀୟ ମେସି ଜୁନିୟର ବୟସ ବର୍ଗରୁ ବାର୍ସେଲୋନା ପାଇଁ ଖେଳିବା ଆରମ୍ଭ କରିଥିଲେ । ଦୀର୍ଘ ୨୧ ବର୍ଷ ଧରି ବାର୍ସେଲୋନା ପାଇଁ ଖେଳିବା ସହିତ ୬୮୨ଟି ଗୋଲ ସ୍କୋର କରିଛନ୍ତି ମେସି । ଏହି ସମୟରେ ସେ ବାର୍ସେଲୋନା ପାଇଁ ୩୫ଟି ଟ୍ରଫି ହାସଲ କରିଛନ୍ତି ।

କ୍ଲବ ଛାଡିବାକୁ ଯାଉଥିବା ମେସିଙ୍କ ଏହି ଫେୟାରୱେଲ ସମ୍ମିଳନୀରେ ମେସି କାନ୍ଦି ପକାଇଥିବା ବେଳେ କ୍ୟାମ୍ପ ନୋଉରେ ବାର୍ସେଲୋନା ଷ୍ଟାଡିୟମ ବାହାରେ ଫ୍ୟାନ ଜମା ହୋଇ ଯାଇଥିଲେ । ସେ କ୍ଲବ ଛାଡିବାକୁ ଚାହୁଁନଥିଲେ ହେଁ କ୍ଲବ ତାଙ୍କୁ ରଖିବାକୁ ଚାହୁଁନଥିବା ସ୍ପଷ୍ଟ କରିଛନ୍ତି ମେସି । ଏହା ସହିତ ଯେଉଁ ପର୍ଯ୍ୟନ୍ତ ଫିଟ ରହିବେ ଫୁଟବଲ ସେ ଯାଏଁ ଖେଳିବା ଜାରି ରଖିବେ ବୋଲି କହିଛନ୍ତି । ମେସିଙ୍କ ବାର୍ତ୍ତା ପରେ ଉପସ୍ଥିତ ମିଡିଆ ପକ୍ଷରୁ ତାଙ୍କ ସମ୍ମାନରେ ଛିଡା ହୋଇ ତାଳି ବଜାଇଥିଲେ । ଏହା ସହିତ ସେ ପ୍ୟାରିସ ସେଣ୍ଟ ଜର୍ମାନ(ପିଏସଜି) ସହିତ ଯୋଗ ଦେବାର ସମ୍ଭାବନା ରହିଥିବା ମେସି ସ୍ୱୀକାର କରିଛନ୍ତି । ଆଲୋଚନା ଜାରି ରହିଥିବା ବେଳେ ଏହା ସଫଳ ହେଲେ ପୁନର୍ବାର ମେସି-ନେମ୍ୟାର ଯୋଡିକୁ ଏକତ୍ର ଦେଖିପାରିବେ ଫୁଟବଲ ପ୍ରଶଂସକ ।

Get real time updates directly on you device, subscribe now.