ଭୁବନେଶ୍ୱର : ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଯାହାକୁ ଆମେ ଓଡିଆ ନବ ବର୍ଷ ଭାବରେ ପାଳନ କରାଯାଏ । ଓଡିଆ ପରମ୍ପରା ଅନୁଯାୟୀ ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ ଭଗବାନ୍ ହନୁମାନଙ୍କ ଜନ୍ମଦିନ ବୋଲି ଓଡିଶାବାସୀ ବିଶ୍ୱାସ କରନ୍ତି । ତେଣୁ ହନୁମାନ ମନ୍ଦିରରେ ମହାସମାବେଶର ଆୟୋଜନ ହୁଏ । ଦିନସାରା ମନ୍ଦିରରେ ହୋମ-ଯଜ୍ଞ ଏବଂ ଭଜନ କୀର୍ତ୍ତନ ଆଦି ଚାଲିଥାଏ । ନୂତନ ବର୍ଷରେ ହଜାର ହଜାର ଭକ୍ତ ହନୁମାନ ମନ୍ଦିର, ଶିବ ଏବଂ ସୂର୍ଯ୍ୟ ଦେବତା ମନ୍ଦିର ଯାଆନ୍ତି । ଏହା ସହ କେତେକ ସ୍ଥାନରେ ବୁଡ ପକାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ପବିତ୍ର ନଦୀ ଗୁଡିକରେ ବଡି ଭୋରରୁ ଶ୍ରଦ୍ଧାଳୁମାନେ ସ୍ନାନ କରି ମନୋସ୍କାମନା ପୂରଣ ନିମନ୍ତେ ପ୍ରାର୍ଥନା କରନ୍ତି । ପାରମ୍ପାରିକ ନୃତ୍ୟ , ଝାମୁ ଯାତ୍ରା ଓ ପାଟୁଆ ଯାତ୍ରାରେ ଗାଁ ଦାଣ୍ଡ ଦୁଲୁକି ଉଠେ । ଏହି ଦିନ ଘରେ ଓ ମନ୍ଦିରରେ ଦେବାଦେବୀଙ୍କ ନିକଟରେ ପଣା ଭୋଗ ଲାଗେ । ଏହା ସହ ମନ୍ଦିର ବାହାରେ ବିଭିନ୍ନ ସ୍ଥାନରେ ପଣା ବଣ୍ଟାଯାଏ ।
ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଏହି ପର୍ବ ପଡେ । ଏଥର ମଧ୍ୟ ଶୁକ୍ରବାର ଦିନ ପାଳନ କରାଯିବ । ଏହା ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି । ବର୍ଷର ପ୍ରଥମ ସଂକ୍ରାନ୍ତି ଏବଂ ପ୍ରଥମ ଦିନଟିକୁ ଅତି ଧୁମ୍ ଧାମରେ ପାଳନ କରାଯାଏ । ଅତି ସ୍ୱାଦିଷ୍ଟ ପାନୀୟରୁ ଓଡିଆମାନଙ୍କ ନବ ବର୍ଷ ଆରମ୍ଭ ହୁଏ । ଛତୁଆ, କ୍ଷୀର, ଦହି, ଗୁଡ, କଦଳୀ ଓ ନଡିଆକୁ ମିଶାଯାଇ ପଣା ପ୍ରସ୍ତୁତ କରାଯାଏ । ଏହାକୁ ପ୍ରଥମେ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ । ଏହି ପଣାକୁ ଏକ ଠେକି ରଖାଯାଇ ଛଉଁରା ଉପରେ ବନ୍ଧା ଯାଏ । ଏହି ଦିନ ବେଲ ପଣା ମଧ୍ୟ ପ୍ରସ୍ତୁତ କରାଯାଏ । ଯାହା ପେଟ ପାଇଁ ଅତ୍ୟନ୍ତଲାଭଦାୟକ ହୋଇଥାଏ ।
ପଣା ପାନୀୟର ବିଶେଷତ୍ୱ
ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ବୁଟ ଛତୁଆ ଭଳି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ କରାଯାଏ । ସୂର୍ଯ୍ୟର ଅତ୍ୟଧିକ ଉତ୍ତାପ ସହ ଦେହର ତାପ ଶକ୍ତିକୁ ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଏ । । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ଏହି ଦିନ ଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହି ଦିନ ନୂଆ ପାଞ୍ଜି ବା ଓଡିଆ କ୍ୟାଲେଣ୍ଡର ବାହାରେ । ସେହି ପାଞ୍ଜି ଅନୁସାରେ ଶୁଭ ଦିନ ଓ ଶୁଭ କାର୍ଯ୍ୟ ନିର୍ଦ୍ଧାରିତ ହୁଏ ।