କୋଆଲାଲମ୍ପୁର- ମାଲେସିଆ ପାଇଁ ମଧ୍ୟ ବାଜିଲା ବିପଦର ଘଣ୍ଟି । ଦେଶରେ ବିବାହ ହାର କମିବାରେ ଲାଗିଛି । ୨୦୨୩ରେ ଦେଶରେ ବିବାହ ସଂଖ୍ୟାରେ ବ୍ୟାପକ ହ୍ରାସ ଘଟିଛି । ସମାନ ସ୍ଥିତି ଛାଡପତ୍ରକୁ ନେଇ ରହିଛି । ସମାଚାର ଏଜେନ୍ସି ସିନ୍ହୁଆ ରିପୋର୍ଟ ମୁତାବକ, ମାଲେସିଆ ପରିସଂଖ୍ୟାନ ବିଭାଗ (ଡିଓଏସଏମ) ତରଫରୁ ଜାରି ରିପୋର୍ଟ ମୁତାବକ ୨୦୨୩ରେ ଦେଶରେ ବିବାହ ସଂଖ୍ୟାରେ ୧୨.୫ ପ୍ରତିଶତ ହ୍ରାସ ଘଟିଛି । ପୂର୍ବରୁ ଚୀନ ଓ ଜାପାନବାସୀଙ୍କ ମଧ୍ୟରେ ବିବାହକୁ ନେଇ ଉତ୍ସାହ କମିବା ପରି ଖବର ଆସିଥିଲା ।
ମାଲେସିଆ ପରିସଂଖ୍ୟାନ ବିଭାଗ ରିପୋର୍ଟ ମୁତାବକ ୨୦୨୩ରେ ଦେଶରେ ବିବାହ ସଂଖ୍ୟା ୧,୮୮,୧୦୦କୁ ହ୍ରାସ ପାଇଛି, ଯାହା ୨୦୨୨ରେ ୨,୧୫,୦୨୨ ଥିଲା । ଅର୍ଥାତ୍ ୧୨.୫ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି । ଦେଶରେ ବିବାହ ଦର ୨୦୨୩ରେ ୫.୭ ପ୍ରତି ଏକ ହଜାର ଜନସଂଖ୍ୟାରେ ରହିଛି, ଯାହା ୨୦୨୨ରେ ୬.୬ ପ୍ରତି ୧୦୦୦ରେ ଥିଲା । ଡିଓଏସଏମ ମୁତାବକ, ବିବାହର ବୟସ ଦେଶରେ ବର ଓ କନ୍ୟା ପାଇଁ ଯଥାକ୍ରମେ ୨୮ ଓ ୨୬ ରହିଛି । ତେବେ ୨୫-୨୯ ମଧ୍ୟରେ ଅଧିକ ବିବାହ ଦେଖାଯାଉଛି ।
ସେହିପରି ଛାଡପତ୍ର ସଂଖ୍ୟା ମଧ୍ୟ ମାଲେସିଆରେ ହ୍ରାସ ଘଟିଛି । ଏହା ୮.୭ ପ୍ରତିଶତକୁ ଖସି ଆସିଛି, ଯାହା ୨୦୨୩ରେ ୫୭,୮୩୫ ଥିବା ବେଳେ ୨୦୨୨ରେ ୬୩,୩୩୮ ଥିଲା । ସେହିପରି ଦେଶରେ ପ୍ରକୃତ ଡିଭୋର୍ସ ରେଟ ୨୦୨୩ରେ ୧.୮ ପ୍ରତି ହଜାରରେ ରହିଛି, ଯାହା ୨୦୨୨ରେ ୧.୯ ପ୍ରତି ଏକ ହଜାରରେ ରେକର୍ଡ ହୋଇଥିଲା । ତେବେ ପୁରୁଷ ଓ ମହିଳାଙ୍କ ବୟସ ୩୦-୩୪ ଭିତରେ ଏହି ଛାଡପତ୍ର ସଂଖ୍ୟା ସର୍ବାଧିକ ରହୁଛି ।