fbpx

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ନିରାଶ: ମନୁ ଭାକରଙ୍କ ହ୍ୟାଟ୍ରିକ୍ ପଦକ ଆଶା ମଉଳିଲା, ମହିଳା ଶୁଟିଂରେ ମିଳିଲା ୪ର୍ଥ ସ୍ଥାନ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଆଜି ଅଷ୍ଟମ ଦିବସରେ ୧୪୦ କୋଟି ଭାରତୀୟଙ୍କୁ ବଡ଼ ଝଟକା ଲାଗିଛି । ମନୁ ଭାକରଙ୍କ ହ୍ୟାଟ୍ରିକ ପଦକ ବିଜୟ ସ୍ୱପ୍ନ ଅଧୁରା ରହିଯାଇଛି । ପୂର୍ବରୁ ମନୁ ଚଳିତ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ବେଳେ ଆଜି ଆଉ ଗୋଟିଏ ପଦକ ଜିତିଥିଲେ ସେ ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଥାନ୍ତେ । ମାତ୍ର ସେହି ସ୍ୱପ୍ନ ଚୁରମାର ହୋଇଯାଇଛି । ୨୫ ମିଟର ମହିଳା ପିସ୍ତଲ ଇଭେଣ୍ଟରେ ମନୁ ଚତୁର୍ଥ ସ୍ଥାନ ହାସଲ କରିବା ସହ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଏହି ଇଭେଣ୍ଟରେ କୋରିଆର ୟାଙ୍ଗ ଜିନ ସ୍ୱର୍ଣ୍ଣ ଜିତିଥିବା ବେଳେ ଫ୍ରାନ୍ସର ଶୁଟର ରୌପ୍ୟ ଓ ହଙ୍ଗେରୀ ଶୁଟର ବ୍ରୋଞ୍ଜ ପଦକ ଜିତିଥିଲେ । କେବଳ ଗୋଟିଏ ଅଙ୍କ ପାଇଁ ମନୁ ବ୍ରୋଞ୍ଜ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ ।

ଆଜି ୨୫ ମିଟର ମହିଳା ଶୁଟିଂ ଇଭେଣ୍ଟରେ ମନୁଙ୍କ ଉପରେ ସାରା ଦେଶବାସୀଙ୍କ ନଜର ରହିଥିଲା । ଆଜିର ଇଭେଣ୍ଟରେ ମନୁ ମଧ୍ୟ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ । ତେବେ ସାମାନ୍ୟ କିଛି ପଏଣ୍ଟ ପାଇଁ ମନୁ ପଦକ ବିଜୟରୁ ବଞ୍ଚି ହୋଇଛନ୍ତି । ମନୁ ଚତୁର୍ଥ ସ୍ଥାନରେ ରହିବା ଫଳରେ ପଦକ ଜିତିପାରି ନଥିଲେ । ଅଷ୍ଟମ ସିରିଜ ପରେ ମନୁ ଓ ହଙ୍ଗେରୀର ଭେରୋନିକା ମେଜରଙ୍କ ଅଙ୍କ ସମାନ ରହିଥିଲା । ଏହାପରେ ପୁନର୍ବାର ଶୁଟ ଅଫ୍ ହୋଇଥିଲା ଓ ସେଥିରେ ମନୁଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ଗତ ମାସ ୨୮ ତାରିଖରେ ମନୁ ବ୍ୟକ୍ତିଗତ ୧୦ ମିଟର ଏୟାରେ ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ତା’ପରେ ୩୦ ତାରିଖରେ ମନୁ ଭାକର ଓ ସରବଜୋତ ସିଂହ ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସ ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଆଥଲେଟ୍ ହ୍ୟାଟିକ୍ ପଦକ ଜିତି ପାରିନଥିବା ବେଳେ ଆଜି ମନୁ ପଦକ ଜିତିଥିଲେ ତାଙ୍କ ନାମରେ ଏକ ବିରଳ ଇତିହାସ ଲିପିବଦ୍ଧ ହୋଇଥାନ୍ତା । ମାତ୍ର ତାହା ଏବେ ଅଧୁରା ରହିଯାଇଛି । ତଥାପି ମନୁ ଦେଶ ପାଇଁ ଯେଉଁ ଗୌରବ ଆଣିଦେଇଛନ୍ତି ସେଥିପାଇଁ ତାଙ୍କୁ ସମସ୍ତ ଭାରତୀୟଙ୍କ ହୃଦୟରୁ ଅଶେଷ ଧନ୍ୟବାଦ ।

Get real time updates directly on you device, subscribe now.