fbpx

ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଆତଙ୍କୀ ମାସୁଦ୍‌ର ଭଣଜା ନିହତ

ଶ୍ରୀନଗର: ଜମ୍ମୁ- କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ନିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି । ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ମୁଖ୍ୟ ମାସୁଦ୍‌ ଆଝାରର ଭଣଜା ତଥା କୁଖ୍ୟାତ ଆତଙ୍କୀ ମହମ୍ମଦ୍‌ ଇସ୍‌ମାଇଲ୍‌ ଓରଫ ଲାମ୍ବୋ ନିହତ ହୋଇଛି । ସେ ଜେଇଏମ୍‌ର କମାଣ୍ଡରଭାବେ କାର୍ଯ୍ୟ କରେ । ସେ ମାସୁଦ୍‌ ଆଝାରର ନିକଟତର ବୋଲି କୁହାଯାଉଛି । ଲାମ୍ବୋ ସହ ତା’ର ଜଣେ ସହଯୋଗୀ ମଧ୍ୟ ନିହତ ହୋଇଛି ।

ଶନିବାର ଦକ୍ଷିଣ କଶ୍ମୀରର ପୁଲୱାମାରେ ଘଟିଥିବା ଏନ୍‌କାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି । ଲାମ୍ବୋ ଆଇଇଡି ଏକ୍ସପର୍ଟ ବୋଲି କୁହାଯାଉଛି । ସବୁଠାରୁ ବଡକଥା ହେଉଛି ଲାମ୍ବୋ ପୁଲ୍‌ୱାମା ଆକ୍ରମଣରେ ସାମିଲ ଥିଲାବୋଲି ଏନ୍‌ଆଇଏ ତାର ଚାର୍ଜସିଟରେ ଉଲ୍ଲେଖ କରିଛି । ଏହାସହ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ତାର ହାତ ଥିବା କଥା କୁହାଯାଉଛି । ପୁଲୱାମାର ନାଗବେରାନ ତରସାରା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା , ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କୀମାନେ ଲୁଚି ଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରିବା କ୍ଷଣି ସେମାନେ ଗୁଳିମାଡ଼ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ସେମାନଙ୍କ ମୃତଦେହ ଠାବ କରାଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଦ୍ୱିତୀୟ ଆତଙ୍କବାଦୀର ପରିଚୟ ଜଣାପଡ଼ିନି ।

ପ୍ରକାଶଯୋଗ୍ୟ, ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆପିଏଫ୍‌ ଯବାନ ସହିଦ ହୋଇଥିଲେ । ଗୋଇନ୍ଦା ବିଭାଗର ସୂଚନା ମୁତାବକ ଇସ୍‌ମାଇଲ୍‌ର ଜନ୍ମ ପାକିସ୍ତାନରେ ହୋଇଥିବା ବେଳେ ସେ ଆତଙ୍କବାଦୀ ସଙ୍ଗଠନର ଦେଖା ରଖାରେ ବଡ ହୋଇଥିଲା । ୨୦୧୭ ମସିହାରେ ସେ ଭାରତରେ ପ୍ରବେଶ କରି ପୁଲ୍‌ୱାମା ଓ ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ।

Get real time updates directly on you device, subscribe now.