ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନୂଆ ରେକର୍ଡ କରିଛି । ୪୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଲୋକମାନେ ଭୀଷଣ କଷ୍ଟରେ କଲବଲ ହୋଇଥିଲେ । ସାଧାରଣ ଭାବେ ଅସହ୍ୟ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଲସି, ସରବତ ପରି ଥଣ୍ଡା ଜାତୀୟ ପାନୀୟ ଉପରେ ନିର୍ଭର କରିବା ସହିତ ଏସି, କୁଲର ଉପରେ ଭରସା କରିଥାନ୍ତି । ତେବେ ଖରାଦିନେ ଏସି କିଣିବା ସମୟରେ କେଉଁ ଏସି କିଣିଲେ ତାହା ପରିବାର ପାଇଁ ଅଧିକ ଫାଇଦାଯୁକ୍ତ ହୋଇଥାଏ ତାହା ଗ୍ରାହକମାନେ ନିହାତି ଜାଣିବା ଆବଶ୍ୟକ ।
ଏପରି ସ୍ଥିତିରେ ଲୋକମାନେ ମେଟାଲ କୁଲର କିଣିବେ ନା ପ୍ଲାଷ୍ଟିକ କୁଲର କିଣିବେ ସେନେଇ ଚିନ୍ତାରେ ପଡ଼ିଯାଇଥାନ୍ତି । କାରଣ କେଉଁ କୁଲର କିଣିଲେ ଅଧିକ ଫାଇଦା ମିଳିବ ଆଉ କେଉଁଥିରେ ଅଧିକ ଥଣ୍ଡା ହେବ ତା’ ବିଷୟରେ ଅନେକଙ୍କର ଜ୍ଞାନ ନଥାଏ । ପ୍ଲାଷ୍ଟିକ କୁଲରର ଓଜନ ହାଲୁକା ହୋଇଥାଏ । ପ୍ଲାଷ୍ଟିକ ବଡି କୁଲରେ କରେଣ୍ଟ ଲାଗିବାର ଆଶଙ୍କା ରହିନଥାଏ । ତେଣୁ ଘରେ ଛୋଟ ପିଲାମାନେ ସୁରକ୍ଷିତ ରହିଥାନ୍ତି । ଏଥିସହିତ ଏହାକୁ ବାରମ୍ବାର ପଲିସ କରିବାର ଆବଶ୍ୟକତା ପଡ଼ିନଥାଏ । ମେଟାଲ କୁଲର ତୁଳନାରେ ପ୍ଲାଷ୍ଟିକ ବଡି କୁଲରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ଅଧିକ ସହଜ ହୋଇଥାଏ । ଛୋଟ ଘରମାନଙ୍କ ପାଇଁ ପ୍ଲାଷ୍ଟିକ ବଡି କୁଲର ଆରାମଦାୟକ ହୋଇଥାଏ ।
ପ୍ଲାଷ୍ଟିକ ବଡି କୁଲର ତୁଳନାରେ ମେଟାଲ ବଡି କୁଲର ଅଧିକ ମଜବୁତ ହୋଇଥାଏ । ମେଟାଲ ବଡି କୁଲର ବଡ଼ ଘରକୁ ଅଧିକ ଥଣ୍ଡା ଦେଇଥାଏ । ଏହାକୁ ଘର ବାହାରେ ମଧ୍ୟ ସେଟ୍ କରିପାରିବେ ଓ ତାହା ଶୀଘ୍ର ଖରାପ ହୋଇନଥାଏ । ଘରେ ପବନ ପ୍ରବାହିତ କରୁଥିବା ଏସି ତୁଳନାରେ ଏୟାର କୁଲର ବାହାର ବାୟୁକୁ ଆଣି ଘରକୁ ଥଣ୍ଡା କରିଦେଇଥାଏ । ଏସି ତୁଳନାରେ ଏୟାର କୁଲର ବଜେଟରେ ଆସିଥାଏ । ଏସି ତୁଳନାରେ କୁଲରରେ ଘରେ ରୋଗୀ, ଶିଶୁ ଓ ବୟସ୍କ ବ୍ୟକ୍ତି ସୁରକ୍ଷିତ ରହିଥାନ୍ତି । ତେଣୁ ଆପଣମାନେ ଯଦି ନିଜ ଘର ପାଇଁ କୁଲର କିଣିବାକୁ ଯାଉଥାନ୍ତି, ଯିବା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ । ଆପଣଙ୍କର ପରିସ୍ଥିତି କିପରି ରହିଛି, ଘରେ କେତେଜଣ ସଦସ୍ୟ ଅଛନ୍ତି, ଘରର ଆକାର ଆଦି ଦିଗ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ ।