fbpx

‘ସରକାରଙ୍କୁ ଦେଢ଼ ମାସ ପୁରିନି ଦରଦାମ ଆକାଶ ଛୁଆଁ, ଲୋକେ ହନ୍ତସନ୍ତ’, ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର: ବର୍ତ୍ତମାନ ସାରା ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମୂଲ୍ୟ ବୃଦ୍ଧି ଘଟିଛି। ଏହାର ପ୍ରଭାବ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଦେଖିବାକୁ ମିଳିଛି। ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ, ଡାଲି ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଉତ୍ତରପ୍ରଦେଶ,ମହାରାଷ୍ଟ୍ର,ଆନ୍ଧ୍ରପ୍ରଦେଶ,ଛତିଶଗଡ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା। ଦେଶର ହାରାହାରି ଦର ଠାରୁ ଆମ ରାଜ୍ୟରେ ତୁଳନାତ୍ମକ ଭାବେ କମ ରହିଛି। ସୁଲଭ ମୂଲ୍ୟରେ ଲୋକେ କିପରି ସାମଗ୍ରୀ ପାଇବେ ଜିଲ୍ଲାପାଳମାନେ ବ୍ୟବସାୟୀଙ୍କ ସହ ବୈଠକ କରିବାକୁ ନିର୍ଦ୍ଦେଶ ରହିଛି। କ୍ଷେତ୍ରୀୟ ଅଧିକାରୀଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଗତକାଲି ୪୫୦ ସ୍ଥାନରେ ଚଢାଉ ହୋଇଛି। ଆଳୁ, ପିଆଜ ଡାଲିର ଗଚ୍ଛିତ ପରିମାଣ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀ ଓ ମୁନାଫାଖୋର ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି।

ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ସରକାରଙ୍କୁ ଦେଢ଼ ମାସ ପୁରିନି ଦରଦାମ ଆକାଶଛୁଆ। ଗରିବ ଓ ମଧ୍ୟବିତ୍ତଙ୍କ ପ୍ରମୁଖ ଖାଦ୍ୟ ଆଳୁ, ଡାଲି, ଟମାଟୋ, ପିଆଜ ଏବେ ଆକାଶ ଛୁଆ ହୋଇଛି। ନିରଞ୍ଜନ ପୂଜାରୀ ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟକୁ ଦର୍ଶାଇ କହିଛନ୍ତି ଆଳୁ ୧୮ ଟଙ୍କା ଓ ପିଆଜ ୩୦ ଟଙ୍କା ରହିଛି। କିନ୍ତୁ ମନ୍ତ୍ରୀଙ୍କ ତଥ୍ୟ ଓ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ। ସରକାର ଉତ୍ତର ପ୍ରଦେଶରୁ ଆଳୁ ଆଣିଲେ ଦରଦାମ ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ବିଧାୟକ ନିରଞ୍ଜନ ପୂଜାରୀ।

Get real time updates directly on you device, subscribe now.