ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଲୋକଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ଏଥିମଧ୍ୟରେ ଲୋକଙ୍କୁ ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍ ବା ଜଙ୍କ୍ ଫୁଡ୍ ଅଧିକ ଆକୃଷ୍ଟ କରୁଛି । ଫଳରେ ମେଦବହୁଳତା ଓ ଡାଇବେଟିସ୍ ଭଳି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ଲୋକମାନେ ଡାଏଟିଂ ଚକ୍କରରେ ଘିଅ ଓ ତେଲ ସେବନ କରିବା ଠାରୁ ଦୂରେଇ ରହିଥାନ୍ତି । କିନ୍ତୁ ଆୟୁର୍ବେଦରେ ଘିଅକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍(ଏ, ଡି, ଇ, ବି-୧୨) ଓ ହେଲ୍ଦି ଫ୍ୟାଟ୍ ଗୁଣରେ ଭରପୁର ଘିଅ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ସୁସ୍ଥ ରଖିଥାଏ ।
ସାଧାରଣତଃ ଶୀତ ଦିନରେ ଘିଅର ସେବନ କରିବା ଦ୍ୱାରା ତ୍ୱଚାର ଶୁଷ୍କତା ଦୂରେଇବା ସହ କୋମଳ ରହିଥାଏ । ଆୟୁର୍ବେଦରେ ଖାଲି ପେଟରେ ଉଷୁମ ପାଣିରେ ଦେଶୀ ଘିଅ ସେବନ କରିବାର ଫାଇଦା ବିଷୟରେ ଉଲ୍ଲେଖ କରାଯାଇଛି । ଗୋଟିଏ ଗ୍ଲାସ ପାଣି କିମ୍ବା ୨୦୦ ମିଲି ଲିଟର ପାଣିରେ ଗୋଟିଏ ଚାମଚ ଦେଶୀ ଘିଅ ଭଲଭାବରେ ମିଶ୍ରଣ କରନ୍ତୁ । ସକାଳେ ଉଠିବା ପରେ ଖାଲି ପେଟରେ ଏହାକୁ ସେବନ କରନ୍ତୁ ।
୧. ଅପଚ: ସକାଳୁ ଖାଲି ପେଟରେ ଉଷୁମ ପାଣିରେ ଦେଶୀ ଘିଅ ମିଶାଇ ସେବନ କଲେ ପେଟ ସଫା ରହିଥାଏ । ଏହା ଅନ୍ତନଳୀକୁ ଆଦ୍ରତା ପ୍ରଦାନ କରିବା ସହ ଅପଚ ସମସ୍ୟା ଦୂରେଇ ଥାଏ । ଏହା ଦ୍ୱାରା ମେଟାବଲିଜିମ୍ ଉତ୍ତମ ରହିଥାଏ ।
୨. ମସ୍ତିଷ୍କ ପାଇଁ ଉତ୍ତମ: ସ୍ମରଣ ଶକ୍ତି ବୃଦ୍ଧି କରିବା ତଥା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଉଷୁମ ପାଣିରେ ଘିଅ ମିଶାଇ ସେବନ କରିବା ମସ୍ତିଷ୍କ ପାଇଁ ଏକ ଟନିକ୍ ଭାବରେ କାର୍ଯ୍ୟ କରିଥାଏ ଏବଂ ସ୍ନାୟୁ ପ୍ରଣାଳୀକୁ ମଜବୁତ କରେ ।
୩. ତ୍ୱଚାରେ ଚମକ: ତ୍ୱଚା ପାଇଁ ଘିଅ ବେଶ ଲାଭକାରୀ । ଏଥିରେ ଥିବା ସୁସ୍ଥ ଫ୍ୟାଟି ଏସିଡ୍ ତ୍ୱଚାକୁ ଶୁଷ୍କତାରୁ ଦୂରେଇ ରଖିଥାଏ । ନିୟମିତ ବିଶେଷ କରି ଶୀତ ଦିନରେ ଉଷୁମ ପାଣି ସହ ଘିଅର ସେବନ କରିବା ଦ୍ୱାରା ତ୍ୱଚାରେ ଆନ୍ତରିକ ଚମକ ଦେଖାଦେଇଥାଏ ।
୪. ଆଖି ପାଇଁ ଲାଭଦାୟକ: ଆଖି ପାଇଁ ଘିଅ ବେଶ ଲାଭଦାୟକ । ଏହା ଆଖିର ଆଦ୍ରତା ବଜାୟ ରଖିବା ସହ ଥଣ୍ଡାରୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ଦୃଷ୍ଟି ଶକ୍ତି ପ୍ରଖର କରିବାରେ ମଧ୍ୟ ସହାୟକ ହୋଇଥାଏ ।
୫. ଶରୀରକୁ ଡିଟକ୍ସ କରିଥାଏ: ଶରୀରରେ ଥିବା ବିଭିନ୍ନ ପ୍ରକାର ଟକ୍ସିନ୍ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ । ଶରୀର ଡିଟକ୍ସ ରହିଲେ ଆମେ ଅଧିକା ସକ୍ରିୟ ଅନୁଭବ କରିଥାଉ ।