fbpx

୩୪ ବର୍ଷରେ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଲେ ଏହି ଅଲରାଉଣ୍ଡର; ସୀମିତ ଓଭର କ୍ରିକେଟ ଉପରେ ଫୋକସ

ନୂଆଦିଲ୍ଲୀ: କ୍ରିକେଟର ସର୍ବୋତ୍ତମ ଫର୍ମାଟ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି ଇଂଲଣ୍ଡ କ୍ରିକେଟର ମୋଇନ ଅଲୀ । ମାତ୍ର ୩୪ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ମୋଇନ ସୋମବାର ଘୋଷଣା କରିଛନ୍ତି । ସୀମିତ ଓଭର କ୍ରିକେଟରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୋଇନ ଏହି ଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ୨୦୧୪ରେ ପଦାର୍ପଣ କରିଥିବା ମୋଇନ ଅଦ୍ୟାବଧି ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟର ଆରମ୍ଭ କରିଥିବା ମୋଇନ ପରବର୍ତ୍ତୀ ସମୟରେ ନିଜ ବୋଲିଂ ଉପରେ କାମ କରିବା ସହିତ ନିଜକୁ ଅଲରାଉଣ୍ଡର ଭାବରେ ପ୍ରତିଷ୍ଠିତ କରିଥିଲେ । ଏପରିକି ଇଂଲଣ୍ଡ ଟେଷ୍ଟ ଟିମର ଜଣେ ନିୟମିତ ସଦସ୍ୟ ମଧ୍ୟ ରହିଥିଲେ ମୋଇନ । ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଏବଂ କୋଚ କ୍ରିସ ସିଲ୍ଭରଉଡଙ୍କ ସହିତ ଆଲୋଚନା କରିଥିଲେ ମୋଇନ୍‌ । ସୋମବାର କେବଳ ଆଧିକାରିକ ଭାବରେ ଘୋଷଣା କରିଥିଲେ ।
ମୋଇନ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨୯୧୪ ରନ ସଂଗ୍ରହ କରିଛନ୍ତି । ଏହା ବ୍ୟତିତ ନିଜର ପାର୍ଟଟାଇମ ସ୍ପିନ ବୋଲିଂ ଜରିଆରେ ୧୯୫ଟି ଟେଷ୍ଟ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କର ଫର୍ମର ଅବନତି କାରଣରୁ ସେ ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଥିବା ସ୍ୱୀକାର କରିଛନ୍ତି ମୋଇନ । ବର୍ତ୍ତମାନ ମୋ ୩୪ ବର୍ଷ ହେଲାଣି , ଯେଉଁ ପର୍ଯ୍ୟନ୍ତ କ୍ରିକେଟକୁ ଉପଭୋଗ କରି ପାରିପାରିବି ସେ ଯାଏଁ ସକ୍ରିୟ ରହିବି ବୋଲି ମୋଇନ କହିଛନ୍ତି । ବର୍ତ୍ତମାନ ମୋଇନ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲର ୧୪ ତମ ସଂସ୍କରଣ ଖେଳିବା ପାଇଁ ୟୁଏଇରେ ଅଛନ୍ତି ।

Get real time updates directly on you device, subscribe now.