ସେଦିନ ଥିଲା ଜୁନ୍ 12, 2024…ହଟିଥିଲେ 25 ବର୍ଷର ସରକାର, ଆଉ ଆସିଥିଲେ ମୋହନ ସରକାର
ଜୁନ୍ 12, 2024 । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ । ଏହା ଭିତରେ ମୋହନ ସରକାରକୁ ବର୍ଷେ ପୂରିଛି । କିଛି ପ୍ରତିଶୃତି ପୂରଣ ହୋଇଥିବା ବେଳେ କିଛି ରହିଯାଇଛି ବାକି ।
ଭୁବନେଶ୍ବର: ସେଦିନ ଥିଲା ଜୁନ୍ 12, 2024 । 25 ବର୍ଷର ଇତିହାସରେ ସେଦିନ ପଡ଼ିଥିଲା ଯବନିକା । ଆଉ ରାଜ୍ୟ ଦେଖିଥିଲା ତାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ । ଗୋଟିଏ ପଟେ କ୍ଷମତାରୁ ଦୂରେଇ ଯାଉଥିଲେ ନବୀନ, ଆଉ ଅନ୍ୟପଟେ ନୂଆ ଆଶା, ନୂଆ ଓଡ଼ିଶା ଗଠନର ସ୍ୱପ୍ନ ନେଇ ଶପଥ ନେଉଥିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । କେବଳ ଜଣଙ୍କୁ ବାଦ୍ ଦେଲେ ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ ନେଇ ମୋହନ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କଲେ। ଏହା ମଧ୍ୟରେ ସରକାରଙ୍କୁ ଏକ ବର୍ଷ ବିତିଗଲା।
ଜୁନ୍ 12 ତାରିଖରେ ଘଟିଥିବା ଏ ଶାସନର ପଟ୍ଟ ପରିବର୍ତ୍ତନର ଅସଲ କାହାଣୀ କିନ୍ତୁ ଲେଖାହେଇଥିଲା ଜୁନ୍ 4 ତାରିଖରେ । ଜୁନ୍ 4ରେ ଇଲେକ୍ସନର ରେଜଲ୍ଟ ଆସିଥିଲା ଆଉ ସମସ୍ତଙ୍କୁ ଚକିତ କରାଇ ଦେଇଥିଲା । ପ୍ରଥମ ଥର ପାଇଁ ଓଡ଼ିଶାରେ ଫୁଟିଲା ପଦ୍ମ ।
ଜୁନ୍ 4ରେ ଆସିଥିବା ଜନମତର ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା ଆଉ ତାର ଠିକ୍ ପରେ ପରେ ନବୀନ ବାହାରିଯାଇଥିଲେ ରାଜଭବନ । ଯେଉଁଠି ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଆଉ ନୂଆ ସରକାର ପାଇଁ ବାଟ ଛାଡ଼ିଥିଲେ । ଆଉ ତା ପରେ ଚର୍ଚ୍ଚା ଆରମ୍ଭ ହେଲା ଓଡ଼ିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ?
ଅନେକ ନାଁ ଆସିଲା, ଅନେକ ଚର୍ଚ୍ଚା ବି ହେଲା…ଅନେକ ସମୀକରଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ଆଉ ତା’ରି ଭିତରେ ଜୁନ୍ 11 ତାରିଖ 2024ରେ ଓଡ଼ିଶା ବିଜେପି ପାର୍ଟି ଅଫିସରେ ବସିଲା ବିଧାୟକମାନଙ୍କ ବୈଠକ । ଏହି ବୈଠକରେ ନାଁକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆ ହେଇଗଲା, ନବୀନଙ୍କ ପରେ ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଆଉ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହିତ ସେ ଦିନ ଉପ-ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡ଼ା ଆଉ କେଭି ସିଂ ଦେଓଙ୍କ ନାଁରେ ବି ମୋହର ବାଜିଲା । ଆଉ ତା’ର ଠିକ୍ ପରଦିନ ଜନତା ମୈଦାନରେ ଆୟୋଜିତ ହୋଇଥିଲା ଭବ୍ୟ ଶପଥ ଗ୍ରହଣ ସମାରୋହ ।
ତେବେ ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ ଡାକି ଚାରିଟି ବଡ଼ ଯୋଜନାରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ। ନିର୍ବାଚନ ପ୍ରତିଶ୍ରୁତି ପୂରଣର ଏହା ଥିଲା ଏକ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ସହ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ବି ଖୋଲାଯାଇଛି। ‘ସୁଭଦ୍ରା’ ଯୋଜନାରେ ମହିଳାଙ୍କୁ ଦୁଇଟି କିସ୍ତିରେ ଟଙ୍କା ଦିଆସରିଲାଣି। ପୁଣି ଧାନର ଏମ୍ଏସ୍ପି ଉପରେ 800 ଟଙ୍କା ବୋନସ୍ ବି ଦିଆଯାଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବଜେଟ୍ରେ ବ୍ୟୟବରାଦ କରାଯାଇଛି। ସରକାରଙ୍କ ସଫଳତାର ତାଲିକାରେ ଏହି କେତୋଟି ପ୍ରସଙ୍ଗ ନିଶ୍ଚିତ ଆଗରେ ରହିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକପ୍ରକାର ବନ୍ଦ ଥିଲା ବେଳେ ଏବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।
ଏହା ଭିତରେ ମୋହନ ସରକାରକୁ ବର୍ଷେ ପୂରିଛି, ଆଉ ଓଡ଼ିଶାରେ ବିଜେପି ସରକାରକୁ ମଧ୍ୟ ଏକ ବର୍ଷ ପୂରଣ ହୋଇଛି । ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି, ଅନେକ ଯୋଜନା ବି ଲୋକଙ୍କୁ ଭେଟି ଦିଆଯାଇଛି । ହେଲେ ସବୁ ଭିତରେ, ଏବେ ବି ଅନେକ ସ୍ୱପ୍ନ ସତ ହେବା ଅପେକ୍ଷାରେ ଅଛି । ତେଣୁ ବାକି 4 ବର୍ଷରେ ମୋହନ ସରକାର କେଉଁ କେଉଁ ପଦକ୍ଷେପ ନେଉଛନ୍ତି ତା ଦେଖିବାକୁ ବାକି ରହିଲା ।