fbpx

FIFA World Cup: ପର୍ତୁଗାଲକୁ ହରାଇ ସେମିଫାଇନାଲରେ ମରକ୍କୋ, ଭାଙ୍ଗିଲା କ୍ରିଷ୍ଟିଆନୋ ରୋନାଲଡୋଙ୍କ ବିଶ୍ୱକପ୍ ସ୍ୱପ୍ନ

ନୂଆଦିଲ୍ଲୀ: କାତାରରେ ଖେଳାଯାଉଥିବା ଫୁଟ୍‌ବଲ୍ ବିଶ୍ୱକପ୍ ୨୦୨୨ର ତୃତୀୟ କ୍ୱାଟର ଫାଇନାଲରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ଏଥିରେ କ୍ରୀଷ୍ଟିଆନୋ ରୋନାଲଡୋଙ୍କ ପର୍ତୁଗାଲକୁ ୧-୦ ଗୋଲ୍‌ରେ ପରାସ୍ତ କରି ମରକ୍କୋ ସେମିଫାଇନାଲରେ ପ୍ରବେଶ କରିଛି ।

ମରକ୍କୋର ୟୁସୁଫ ଏନ ନେସରୀଙ୍କ ଦର୍ଶନୀୟ ଗୋଲ୍ ବଳରେ ସେମିଫାଇନାଲରେ ନିଜର ଜାଗା ପକ୍କା କରିଛି । ଅଲ ସୁମାମା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ୪୨ ତମ ମିନିଟ୍‌ରେ ନେସରୀ ଏହି ଗୋଲ୍ କରିଥିଲେ । ଏହି ବିଜୟ ସହିତ ଆଫ୍ରିକାର ପ୍ରଥମ ଦଳ ଭାବେ ମରକ୍କୋ ସେମିଫାଇନାଲରେ ପ୍ରବେଶ କରିଛି । ଏବେ ଚତୁର୍ଥ କ୍ୱାଟର ଫାଇନାଲର ବିଜେତାକୁ ସେମିଫଅଇନାଲରେ ଭେଟିବ ମରକ୍କୋ । ଏହି ଚତୁର୍ଥ ମୁକାବିଲା ଆଜି ବିଳମ୍ବିତ ରାତିରେ ଇଂଲଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବ।

ପ୍ରଥମାର୍ଦ୍ଧରେ ପର୍ତୁଗାଲ ୧-୦ ଗୋଲ୍‌ରେ ପଛରରେ ରହିଥିଲା । ତେବେ ଦ୍ୱିତୀୟାର୍ଦ୍ଧରେ ଦଳ ଅନେକ ସୁଯୋଗ ସୃଷ୍ଟି କରିଥିଲେ, କିନ୍ତୁ ମରକ୍କୋର ଗୋଲ୍‌କିପର ୟାସୀନ ବୋନୋ ପାଚେରି ପରି ଗୋଲ୍ ପୋଷ୍ଟ ଆଗରେ ଛିଡ଼ା ହୋଇଥିଲେ। ଯାହାକୁ ପର୍ତ୍ତୁଗାଲ ଖେଳାଳି ଭେଦ କରି ପାରି ନଥିଲେ। ଏହି ପରାଜୟ ସହିତ କ୍ରୀଷ୍ଟିଆନୋ ରୋନାଲଡୋଙ୍କ ବିଶ୍ୱକପ୍ ବିଜୟ ସ୍ୱପ୍ନ ଅଧାରେ ଭାଙ୍ଗିଯାଇଛି । ତେବେ ଆଜିର ବିଜୟ ପରେ ଫାଇନାଲକୁ ଯିବା ପାଇଁ ମରକ୍କୋକୁ ଇଂଲଣ୍ଡ କିମ୍ବା ଫ୍ରାନ୍ସ ସାମ୍ନା କରିବାକୁ ପଡ଼ିବ ।

Get real time updates directly on you device, subscribe now.