fbpx
BSKY
BJD YOUTH SKY
BJD MS SKY

ମୁଇଜ୍ଜୁଙ୍କୁ ଲାଗିଲା ବଡ଼ ଝଟକା, ଭାରତ ସହ ବିବାଦ ପଡ଼ିଲା ଭାରି

ନୂଆଦିଲ୍ଲୀ: ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦେଖାଦେଇଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏଥିମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁଙ୍କୁ ଲାଗିଛି ବଡ଼ ଝଟକା । ଭାରତ ସମର୍ଥକ ବିରୋଧୀ ମାଳଦ୍ୱୀଭିୟାନ୍ ଡେମୋକ୍ରାଟିକ୍ ପାର୍ଟି(MDP) ରାଜଧାନୀ ‘ମାଲେ’ରେ ଶନିବାର ଅନୁଷ୍ଠିତ ହୋଇଥିବା ମେୟର ନିର୍ବାଚନରେ ବଡ଼ ସଫଳତା ହାସଲ କରିଛି । MDPର ପ୍ରାର୍ଥୀ ଏଡମ୍ ଅଜୀମ୍(Adam Azim) ନୂତନ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦବୀ ମୁଇଜ୍ଜୁଙ୍କ ପାଖରେ ରହିଥିଲା । କିନ୍ତୁ ଗତ ବର୍ଷ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ ।
ଶନିବାର ମାଳଦ୍ୱୀପର ରାଜଧାନୀ ‘ମାଲେ’ରେ ଅନୁଷ୍ଠିତ ହୋଇଥିବା ମେୟର ନିର୍ବାଚନରେ MDP ନେତା ଏଡମ୍ ଅଜୀମ୍ ୫୩୦୩ ଭୋଟରେ ବିଜୟ ହାସଲ କରିଥିଲେ । ସେହିପରି ମୁଇଜ୍ଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସର ଐଶଥ୍ ଅଜୀମା ଶକୁର୍(Aishath Azima Shakoor)ଙ୍କୁ ମୋଟ୍ ୩, ୩୦୧ ଭୋଟ୍ ମିଳିଥିଲା ।

କହିରଖୁଛୁ ମୁଇଜ୍ଜୁ ମାଳଦ୍ୱୀପରେ ‘ଇଣ୍ଡିଆ ଆଉଟ୍’ ଅଭିଯାନ ମାଧ୍ୟମରେ କ୍ଷମତାକୁ ଆସିଥିଲେ । ସେ ରାଷ୍ଟ୍ରପତି ହେବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ପରମ୍ପରା ଅନୁଯାୟୀ ମାଳଦ୍ୱୀପ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ପ୍ରଥମେ ଭାରତ ଗସ୍ତ କରିଥାନ୍ତି କିନ୍ତୁ ମୁଇଜ୍ଜୁ ଏଥିରେ ପରିବର୍ତ୍ତନ କରି ପ୍ରଥମେ ଚୀନ ଗସ୍ତ କରିଥିଲେ । ସେ ୫ ଦିନିଆ ଚୀନ ଗସ୍ତରୁ ଫେରିବା ପରେ ମିଡ଼ିଆ ସାମ୍ନାରେ କହିଥିଲେ ଯେ ଆମ ଦେଶ ତାଙ୍କ(ଭାରତ) ଠାରୁ ଛୋଟ ହୋଇପାରେ କିନ୍ତୁ ଆମେ କାହାକୁ ଧମକ ଦେବା ପାଇଁ ଲାଇସେନ୍ସ ଦେଇପାରିବୁ ନାହିଁ ।

 

Get real time updates directly on you device, subscribe now.