fbpx

ସ୍ୱର୍ଗଦ୍ୱାରରେ ହେବ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ

ଓଡ଼ିଶା ଭାସ୍କର (ଭୁବନେଶ୍ୱର): ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି । ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ରବିବାର ରାତ୍ରିରେ ସେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ମହାଦୀପ କର ସୂଚନା ଦେଇଛନ୍ତି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣା ପଡିଛି । ଗତକାଲି ରାତି ସାଢେ ୯ଟାରେ ପରପାରି ଯାତ୍ରା କରିଛନ୍ତି କମଳଦେଶ ରାଜକୁମାର ।

ତେବେ ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ସେ ୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କରିଥିଲେ କଣ୍ଠଦାନ । ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପ୍ରଫୁଲ୍ଲ କର । ସଙ୍ଗୀତ କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ସେ ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଆଇନରେ ସ୍ନାତକ କରିଥିଲେହେଁ ସଙ୍ଗୀତକୁ ସେ ନିଜର ପେସା କରିଥିଲେ । ତାଙ୍କର ଯାଦୁଗରୀ ସ୍ୱର ସାଙ୍ଗକୁ ସଙ୍ଗୀତର ଭଲ ବୁଝାମଣା ତାଙ୍କୁ ଖୁବ୍ କମ୍ ସମୟରେ ଜଣେ ଖାତନାମା ସଙ୍ଗୀତଜ୍ଞ ଭାବେ ପରିଗଣିତ କରିପାରିଥିଲା । ସୃଜନର ଏକାଧିକ ଧାରାରେ ପାଦ ଥାପିଥିଲେ ପ୍ରଫୁଲ୍ଲ । ମହାପ୍ରଭୁ ଜଗନ୍ନାଥଙ୍କ ବହୁ ଲୋକପ୍ରିୟ ଭଜନ ତାଙ୍କ କଣ୍ଠ ନିସୃତ । ଏହାବାଦ୍ ୨୦୦୪ରେ ସମ୍ମାନଜନକ ଜୟଦେବ ପୁରସ୍କାର, ୨୦୦୯ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡିଲିଟ୍ ତାଙ୍କୁ ମିଳିଛି । ସାହିତ୍ୟ ସର୍ଜନା, ବିଶେଷ କରି ଜଣେ ସମ୍ଭକାର ଭାବେ ସେ ପରିଚିତ ଥିଲେ ।

Get real time updates directly on you device, subscribe now.