ନୂଆଦିଲ୍ଲୀ: ବଲିଉଡ ଅଭିନେତାଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ୍ ଦୀର୍ଘ ସମୟ ଧରି ଡ୍ରଗ୍ସ କେସରେ ଜେଲରେ ଅଛନ୍ତି । ଏହାରି ମଧ୍ୟରେ ଶାହାରୁଖ ଖାନଙ୍କ ଘରେ ପହଞ୍ଚିଛନ୍ତି ଏନସିବିର ଅଧିକାରୀ । ଆର୍ଯ୍ୟନଙ୍କ ଗିରଫ ପରେ ଏନସିବି ଟିମ୍ ଶାହାରୁଖଙ୍କ ଘରେ ଯାଇ ତଲାସି କରୁଛନ୍ତି । ଆଜି ହିଁ ଶାହାରୁଖ ନିଜ ପୁଅ ଆର୍ଯ୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲ ଯାଇଥିଲେ । କ୍ରୁଜ ପାର୍ଟିରେ ସାମିଲ ଥିବାରୁ ଗିରଫ ହୋଇଥିବା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହୋଇପାରି ନାହିଁ । ଫଳରେ ସେ ଏବେବି ଜେଲରେ ଅଛନ୍ତି ।
ଶାହାରୁଖ ଖାନଙ୍କ ସହିତ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଛି ଏନସିବି । ଆର୍ଯ୍ୟନ ଖାନଙ୍କ ଚାଟରେ ଅନନ୍ୟାଙ୍କ ସମ୍ପୃକ୍ତି ନେଇ କୁହାଯାଇଛି । ଏପରି ପରିସ୍ଥିତିରେ ଅନନ୍ୟାଙ୍କୁ ଏନସିବିର ଅଧିକାରୀମାନେ ସମନ ପଠାଇବା ସହ ପଚରାଉଚରା ପାଇଁ ଅଫିସ ଡାକିଛନ୍ତି । ଦ୍ୱିପହର ୨ ଟାରେ ଅନନ୍ୟା ଏନସିବିରେ ହାଜର ହେବେ ।
ସୂଚନାଯୋଗ୍ୟ, କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । କୋର୍ଟ ବେଲ୍ ଖାରଜ କରି ଜଜ୍ ବିବି ପଟେଲ୍ କହିଛନ୍ତି ଯେ, ତିନି ଜଣ ଡ୍ରଗ୍ସ ମାମଲାରେ ଅଡ଼ୁଆରେ ଫସିଛନ୍ତି । ଏହି ସମୟରେ ସେମାନଙ୍କୁ ଯଦି ଜାମିନ୍ ଦିଆଯାଏ ତେବେ ସେମାନେ ପୁଣି ଏହି ଅପରାଧ କରିପାରନ୍ତି । ଏହାପରେ ନାକୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ(ଏନଡିପିସି) ଆକ୍ଟ ଅଧୀନରେ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ।