“ମୋ ସ୍ତ୍ରୀ ସାରା ଜଣେ ହିରୋ” ନେତାନ୍ୟାହୁଙ୍କ ମନ୍ତବ୍ୟକୁ ନେଇ ଇସ୍ରାଏଲ ସ୍ତବ୍ଧ
ପୁଅ ବାହାଘର ଘୁଞ୍ଚିବା ନେଇ ଚିନ୍ତା ପ୍ରକଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସାଧାରଣ ଲୋକଙ୍କ ବଳୀଦାନକୁ କହିଲେ ତୁଚ୍ଛ ।
ଜେରୁଜେଲମ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପାଇଁ ଏବେ ସାରା ବିଶ୍ୱ ଚିନ୍ତାରେ । କାରଣ କେଉଁ ସମୟରେ ବି ଏହି ଦେଶ ନ୍ୟୁକ୍ଲିୟର ବୋମାର ପ୍ରୟୋଗ କରିପାରନ୍ତି ।
ଏଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବୟାନକୁ ନେଇ ଜନଅକ୍ରୋଶ ଦେଖିବାକୁ ମିଳିଛି । ଲଣ୍ଡନ ଗସ୍ତରେ ଥିବା ନେତନ୍ୟାହୁ ମିଡିଆରେ ଦେଇଥିବା ନିଜର ବିବୃତି ଯୋଗୁ ଏବେ ଟ୍ରୋଲ ମଧ୍ୟ ହେବାରେ ଲାଗିଛନ୍ତି ।
ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଭିଷଣ ଯୁଦ୍ଧ ସମ୍ପର୍କରେ ମିଡିଆକୁ ନିଜର ପ୍ରତିକ୍ରିୟା ଦେବାବେଳେ ନେତାନ୍ୟାହୁ କହିଛନ୍ତି, ଇରାନ ଆକ୍ରମଣ ପାଇଁ ସେ ତାଙ୍କ ପୁଅ ବାହାଘର ଘୁଞ୍ଚାଇ ଦେଇଛନ୍ତି ।
ଏହାକୁ ସେ ଯୁଦ୍ଧ ପାଇଁ ବ୍ୟକ୍ତିଗତ ବଳିଦାନର ରୂପ ଦେଇଛନ୍ତି, ଇରାନ୍ ଆକ୍ରମଣରେ ସେନା ଓ ସାଧାରଣ ଲୋକଙ୍କ ପ୍ରାଣହାନୀ ସମ୍ପର୍କରେ ନେତାନ୍ୟାହୁ କିଛି କହି ନ ଥିଲେ ।
ନିଜ ସ୍ତ୍ରୀଙ୍କୁ ନେତାନ୍ୟାହୁ ହିରୋ ବୋଲି ସମ୍ବୋଧନ କରିଛନ୍ତି, ଯୁଦ୍ଧ ପାଇଁ ତାଙ୍କୁ ବ୍ୟକ୍ତିଗତ କଷ୍ଟ ସହିବାକୁ ପଡ଼ିଥିବା କହିଛନ୍ତି ନେତାନ୍ୟାହୁ ଯାହାକୁ ନେଇ ଏବେ ଇଣ୍ଟରନେଟରେ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।
ସପ୍ତାହକରୁ ଅଧିକ ଦିନ ହେବ ଇସ୍ରାଏଲ ଏବଂ ଇରାନ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । ଗତକାଲି ଇସ୍ରାଏଲର ସବୁଠୁ ବଡ଼ ହସ୍ପିଟାଲକୁ ଇରାନ ମିଶାଇଲ ଟାର୍ଗେଟ କରିଥିଲା ।
ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତିରେ ଏବେ ଏଣ୍ଟ୍ରି ମାରିଛି ଆମେରିକା । ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେବା ବଦଳରେ ଇରାନ୍ ଉପରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।