Indian Railwayରେ ନୂଆ ଅଧ୍ୟାୟ: କାଲି ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସୁଦୃଢ ହେବ ଯୋଗାଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ରେ ଏକାଧିକ ରେଳ ପ୍ରକଳ୍ପ ଉଦଘାଟନ କରିବେ; ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗରେ ଆସିବ ବିକାଶ

ନୂଆଦିଲ୍ଲୀ: କାଲିଠାରୁ ରେଳ ପ୍ରକଳ୍ପରେ ସାମିଲ ହେବ ଆଉ କିଛି ନୂଆ ଅଧ୍ୟାୟ । ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ସଂପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ । ତେଲଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉଦଘାଟନ କରିବା ସହ ପୂର୍ବତଟ ରେଳପଥ ଅଧିନସ୍ଥ ରାୟଗଡ଼ା ରେଳ ଡିଭିଜନ ଭବନର ମଧ୍ୟ ଶିଳାନ୍ୟାସ କରାଯିବ ।

କେଉଁଠି ହେବ ନୂଆ ପ୍ରକଳ୍ପ: ପଠାନକୋଟ-ଜମ୍ମୁ-ଉଧମପୁର-ଶ୍ରୀନଗର-ବାରାମୁଲା, ଭୋଗପୁର ସିରୱାଲ-ପଠାନକୋଟ, ବାଟାଲା-ପଠାନକୋଟ ଏବଂ ପଠାନକୋଟରୁ ଯୋଗିନ୍ଦର ନଗର ସେକ୍ସନକୁ ମିଶାଇ ମୋଟ ୭୪୨.୧ କିଲୋମିଟର ବିଶିଷ୍ଟ ଜମ୍ମୁ ରେଳ ଡିଭିଜନ ଗଠନ ହେବ ।

ଏହିସବୁ କ୍ଷେତ୍ରରେ ଆସିବ ବିକାଶ: ଏହା ଜମ୍ମୁ ଓ କଶ୍ମୀର ଏବଂ ଆଖପାଖ ଅଞ୍ଚଳକୁ ଯଥେଷ୍ଟ ଉପକୃତ କରିବ ଏବଂ ଲୋକଙ୍କ ଦୀର୍ଘ ଦିନର ଆକାଂକ୍ଷା ପୂରଣ କରିବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ଯୋଗାଯୋଗରେ ଯଥେଷ୍ଟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।

ଏହା ସହିତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭିତ୍ତିଭୂମି ବିକାଶ ହେବ, ପର୍ୟ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ସାମଗ୍ରିକ ଭାବେ ଏ ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ।

ତେଲେଙ୍ଗାନାରେ ନୂଆ ପ୍ରକଳ୍ପ: ତେଲେଙ୍ଗାନାର ମେଦଚାଲ-ମାଲକାଜଗିରି ଜିଲ୍ଲାରେ ଥିବା ଚାର୍ଲାପଲ୍ଲୀ ନ୍ୟୁ ଟର୍ମିନାଲ ଷ୍ଟେସନକୁ ପ୍ରାୟ ୪୧୩ କୋଟି ଟଙ୍କା ବ୍ୟୟରେ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇଛି ଏବଂ ଏଥିରେ ଦ୍ୱିତୀୟ ପ୍ରବେଶର ବ୍ୟବସ୍ଥା କରାଯାଇଛି ।

ଉତ୍ତମ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡା ଭଳି ସହରରେ ଥିବା କୋଚିଂ ଟର୍ମିନାଲରେ ଭିଡ଼ ହ୍ରାସ କରିବ ।

ରାୟଗଡ଼ାକୁ ଉପହାର: ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳଡିଭିଜନ ଭବନର ଶିଳାନ୍ୟାସ କରିବେ । ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହାଫଳରେ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ।