fbpx

ନୂତନ ଜାତୀୟ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିଛି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂତନ ଜାତୀୟ ଶିକ୍ଷାନୀତି ଦ୍ୱାରା ଭାରତର ଶିକ୍ଷା ପ୍ରଣାଳୀରେ ବିପ୍ଳବ ଆସିଛି । ବହୁତ ଶୀଘ୍ର ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାମ୍ପସ୍‍ ପ୍ଲେସ୍‍ମେଣ୍ଟ ପାଇଁ ବିଦେଶରେ ଥିବା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଶିକ୍ଷାସଂସ୍ଥାନଗୁଡ଼ିକୁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏକ ଇଂରାଜୀ ଦୈନିକ ସମ୍ବାଦପତ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଏହାଦ୍ୱାରା ଜ୍ଞାନର ପରିସର ସୀମିତ ହୋଇ ରହିବ ନାହିଁ ବରଂ ଏହାର ବିସ୍ତାର ହେବ । ଭାରତ ଆଜି ବିଶ୍ୱସ୍ତରରେ ନୂଆ ପରିଚୟ ସୃଷ୍ଟି କରିପାରିଛି ।

ଦେଶରେ ବେକାରୀ ୬ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ ପାଇଛି । ସେହିଭଳି କାମ କରୁଥିବା ଲୋକଙ୍କ ସଂଖ୍ୟା ୫୦ ରୁ ୫୭ ପ୍ରତିଶତକୁ ବୃଦ୍ଧି ପାଇଛି । ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କୁ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଦେଶରେ ୧ ଲକ୍ଷ ନୂଆ ଷ୍ଟାର୍ଟଅପ୍‍ ଇକୋସିଷ୍ଟମ୍‍ ବିକଶିତହୋଇଛି । ଆଜି ଭାରତ ଜି-୨୦ରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ବସୁଧୈବ କୁଟୁମ୍ବକମ୍‍ର ଶିକ୍ଷା ଦେଇଛି ।

ଶ୍ରୀ ପ୍ରଧାନ କହିଛନ୍ତି, କୋଭିଡ୍‍ ସମୟରେ ଭାରତ ସ୍ୱଦେଶୀ ଟିକା ବିକଶିତ କରି ନିଜକୁ ପ୍ରତିଷ୍ଠିତ କରିପାରିଛି । ଏହି ସମୟରେ ଭାରତ ୧୫୦ଟି ଦେଶକୁ ଟିକା ପଠାଇଥିଲା । ଏହାସହ ୪୦ଟି ଦେଶକୁ ମାଗଣାରେ ଟିକା ପଠାଇଥିଲା । ସେହଭଳି ଚୀନ୍‍ର ହାଙ୍ଗଝୌଠାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡାରେ ପ୍ରଥମଥର ପାଇଁ ଭାରତର ପଦକ ସଂଖ୍ୟା ୧୦୦ ଅତିକ୍ରମ କରିଥିଲା । ସେ କହିଛନ୍ତି, ଭାରତର ଯୁବଶକ୍ତି ହିଁ ଆସନ୍ତାକାଲିର ଭବିଷ୍ୟତ । ଦେଶର ବିକାଶରେ ସେମାନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.