fbpx

ୟୁକ୍ରେନ୍ ସୀମାକୁ ମାଡି ଆସୁଛନ୍ତି ଋଷ ସୈନ୍ୟ: ଭୟଭୀତ ଅବସ୍ଥାରେ ବିଶ୍ୱବାସୀ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନା ନେଉନି । ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଋଷ ନିଜର ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲା । ଋଷ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ସମଗ୍ର ବିଶ୍ୱ ସାମାନ୍ୟ ଆଶ୍ୱସ୍ତ ଲାଭ କରିଥିଲା । ତେବେ ସ୍ପେସ୍ ଫାର୍ମ ମାକ୍ସର ପକ୍ଷରୁ ନିଆଯାଇଥିବା ସାଟେଲାଇଟ୍ ଚିତ୍ର ପୁଣି ଥରେ ସମସ୍ତଙ୍କ ଚିନ୍ତା ବଢାଇଛି । ୨୦ ତାରିଖ ବା ରବିବାର ଦିନର ଏହି ସାଟେଲାଇଟ୍ ଚିତ୍ର ଅନୁଯାୟୀ ଋଷିଆ ୟୁକ୍ରେନ୍ ସୀମାରେ ସୈନ୍ୟ ମୁତୟନ ବୃଦ୍ଧି ପାଇଛି । ଋଷ ବର୍ତ୍ତମାନ ଚାରିଆଡୁ ୟୁକ୍ରେନକୁ ଘେରି ସାରିଲାଣି । ଏହା ସହିତ ଆଟାକ୍ ହେଲିକପ୍ଟର ପାଇଁ ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଇଛି । ଋଷ ପକ୍ଷରୁ ସୈନ୍ୟ ପ୍ରତ୍ୟାହାରର ଯେଉଁ ଦାବି କରାଯାଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ବର୍ତ୍ତମାନ ସୁଦ୍ଧା ୧୮ଟି ଆଟାକ୍, ଏମଆଇ-୮ ଓ କେଏ-୫୨ ହେଲିକପ୍ଟର ମହଜୁଦ ଥିବା ସୂଚନା ମିଳିଛି ।

ଋଷ ପକ୍ଷରୁ ଆକ୍ରମଣ କରାଯିବାର ସମ୍ଭାବନା ବଢି ଯାଇଥିବା ବେଳେ ସମଗ୍ର ବିଶ୍ୱ ବର୍ତ୍ତମାନ ଭୟାବହ ସ୍ଥିତିରେ ରହିଛି । ଋଷ ଗୋଟିଏ ପଟେ ଆକ୍ରମଣ ସମ୍ଭାବନାକୁ ଖଣ୍ଡନ କରୁଥିବା ବେଳେ ସାଟେଲାଇଟ ଚିତ୍ର କିନ୍ତୁ ଭିନ୍ନ କାହାଣୀ ବୟାନ କରୁଛି । ସାଟେଲାଇଟ ଚିତ୍ର ଅନୁଯାୟୀ ଋଷ ୟୁକ୍ରେନ ସୀମାରେ ଆହୁରି ଭିତରକୁ ପ୍ରବେଶ କରିବାରେ ଲାଗିଛି । ତେବେ ଋଷ ଆକ୍ରମଣ କଲେ କେବଳ ୟୁକ୍ରେନ ପ୍ରଭାବିତ ହେବ ତାହା ନୁହେଁ ସମଗ୍ର ବିଶ୍ୱ ଓ ବିଶ୍ୱର ଅର୍ଥନୀତି ଏହା ଦ୍ୱାରା ପ୍ରଭାବିତ ହେବ । ସମଗ୍ର ବିଶ୍ୱରେ ତେଲ ଦର ଅହେତୁକ ଭାବରେ ବଢିଯିବ ।

Get real time updates directly on you device, subscribe now.