fbpx

BJPର ନୂଆ ଟିମ୍ ଘୋଷଣା: ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ମିଳିଲା ଦାୟିତ୍ୱ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏନେଇ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସଂଗଠନକୁ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏଥିସହିତ ଆସନ୍ତା ମାସରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମଧ୍ୟ ଶାସକ ଓ ବିରୋଧୀମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ନିକଟରେ ରାଜ୍ୟରେ ଶାସକ ବିଜେଡି ସଭାପତି, ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ନେଇଥିଲା ।

ତେବେ ବିରୋଧୀ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ । ଆଗାମୀ ନିର୍ବାଚନ ପାଇଁ ବିଜେପି ମଧ୍ୟ ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଗତ ମାସ ୨୩ ତାରିଖରେ ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ନିଯୁକ୍ତି ପାଇଥିଲେ । ଏନେଇ କେନ୍ଦ୍ରୀୟ ବିଜେପି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ୫୧ ପ୍ରତିଶତ ଭୋଟ ହାତେଇବେ ବୋଲି ମନମୋହନ ଦାୟିତ୍ୱ ଗ୍ରହଣ କରିବା ପରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ତେବେ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନମୋହନ ଭଦ୍ରକ ଜିଲ୍ଲାର ବିଜେପି କମିଟିକୁ ପୁନର୍ଗଠନ କରିଛନ୍ତି । ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ସଭାପତି ଭାବେ ହେମନ୍ତ କୁମାର ପାଢ଼ୀଙ୍କୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଏହି ସାଙ୍ଗଠନିକ ଦାୟିତ୍ୱ ହେମନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଥିବା ବେଳେ କିଛି ପୁରୁଣା ଓ କିଛି ନୂଆ କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଛି ।

ନୂଆ ଟିମରେ ୮ ଜଣ ସଦସ୍ୟଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଉପସଭାପତି ଭାବେ ଦୁର୍ଗାଚରଣ ନାୟକ, କମଳାକାନ୍ତ ସୂତାର, ଅଶୋକ ପରିଜା, ଜଗବନ୍ଧୁ ଦାସ, ପଙ୍କଜିନି ଲେଙ୍କା, ଶ୍ରୀହର୍ଷ ସ୍ୱାଇଁ, ଉଦୟ ନାରାୟଣ ମଲ୍ଲିକ ଓ ଚତୁର୍ଭୁଜ ନାୟକଙ୍କୁୁ ସାମିଲ କରାଯାଇଛି । ସେହିପରି ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ମଲ୍ଲିକ, ଶଶିକାନ୍ତ ବିଶ୍ୱାଳ ଓ ଭଗବାନ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.