ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ବଢ଼ାଇଲା ଚିନ୍ତା: ମଇଳା ପାଣିରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜର ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସକୁ ନେଇ ଏବେ ବି ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଚାନକ ଚୀନରେ ମାମଲା ବଢ଼ିବାରେ ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ସାଧାରଣ ଭାବେ ବାୟୁ ମାଧ୍ୟମରେ ସଂକ୍ରମିତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଚିନ୍ତାଜନକ ଖବର ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରୋନାକୁ ନେଇ ଏକ ବଡ଼ ଅପଡେଟ୍ ପ୍ରଦାନ କରାଯାଇଛି । ଗତ ୧ ମାସ ମଧ୍ୟରେ କରୋନାର ନୂଆ ଭାରିଆଣ୍ଟର ୯ଟି ଅଲଗା ଅଲଗା ସିକୁଏନ୍ସ ମିଳିଛି । ୟୁରୋପ, ଆଫ୍ରିକା ଓ ଆମେରିକାରୁ ଏହି ନୂଆ ଭାରିଆଣ୍ଟ ମିଳିଛି । ଏହି ଭାରିଆଣ୍ଟରେ କୌଣସି ପ୍ରକାରର ମୃତ୍ୟୁ ଖବର ଆସିନାହିଁ । ମାତ୍ର ଥାଇଲାଣ୍ଡ ଓ ସୁଇଜରଲାଣ୍ଡରେ ପାଣିରୁ ବିଏ.୨.୮୬ କୋଭିଡ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ନୂଆ ଭାରିଆଣ୍ଟର ୯ଟି ସିକୁଏନ୍ସ ମଧ୍ୟରୁ ଡେନମାର୍କରୁ ୩ଟି, ଆମେରିକାରୁ ୨ଟି, ଇସ୍ରାଏଲ ଓ ୟୁକେରୁ ଗୋଟିଏ ମିଳିଥିବା ବେଳେ ସୁଇଜରଲ୍ୟାଣ୍ଡର ନିମ୍ନସ୍ତରର ମଇଳା ପାଣିରୁ ଗୋଟିଏ ମାମଲା ମିଳିଛି । ଆମେରିକାର ଦୁଇ ଜଣ ରୋଗୀ ମିଛିଗାଁ ଓ ଭିର୍ଜିନିଆର ବୋଲି ଜଣାପଡ଼ିଛି । ମିଛିଗାଁର ରୋଗୀ ଜଣେ ବୟସ୍କ ହୋଇଥିବା ବେଳେ ସେ ହସ୍ପିଟାଲରେ ଆଡମିଟ ହୋଇନାହାନ୍ତି । ଭିର୍ଜିନିଆରୁ ଚିହ୍ନଟ ହୋଇଥିବା ରୋଗୀ ଜଣେ ମହିଳା ଓ ସେ ଜାପାନରୁ ଏକ ଟ୍ରିପରୁ ଫେରିଥିଲେ । ଗତ ଏକ ମାସ ମଧ୍ୟରେ ଥାଇଲାଣ୍ଡରୁ ସର୍ବାଧିକ ୧୩୬୬ଟି ରିପୋର୍ଟ ଆସିଥିଲା । ଏହାପରେ ଭାରତରୁ ୧୩୩୫ଟି ଓ ବାଂଲାଦେଶରୁ ୧୧୮୮ଟି ମାମଲା ଆସିଥିଲା ।