fbpx

ଆସୁଛି ଦୁଇଟି ଲଘୁଚାପ: ଆଜି-କାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହାସହ ମୌସୁମୀ ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ମଧ୍ୟ ବର୍ଷାର ପରିମାଣ ଅଧିକା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଳାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୧୨ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷିବ । ଶୁକ୍ରବାର ଓ ଶନିବାର ମଧ୍ୟ ଉପକୂଳ ସମେତ ସୋନପୁର, ବଲାଙ୍ଗିର, ବରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ । ପରବର୍ତ୍ତୀ ମୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଶୁକ୍ରବାରଠୁ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ଓ ୧୩ ତାରିଖରେ ଆଉ ୨ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୦ ତାରିଖରୁ ଉପକୂଳ ଓଡ଼ିଶାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏପରିକି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏବେ ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଳାରେ ସ୍ୱାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ଜଗତସିଂହପୁର, ସୋନପୁର, କଟକ ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବରଗଡ଼ର ଝରାବନ୍ଧରେ ସର୍ବାଧିକ ୧୪ ସେଣ୍ଟିମିଟର ବର୍ଷା ହୋଇଥିବାବେଳେ ଜଗତସିଂହପୁର ଆଳିରେ ୯ ସେ.ମି, ସୋନପୁରରେ ୮ ସେ.ମି., କଟକର ବାଙ୍କୀ, ଭଦ୍ରକର ତିହିଡ଼ିରେ ୭ ସେ.ମି. ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

 

Get real time updates directly on you device, subscribe now.